ୱାଶିଂଟନ୍: ଆମେରିକାର ମଧ୍ୟାବଧି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପରାଜୟକୁ ନେଇ ମୁହଁ ଖୋଲିଛନ୍ତି ଉପରାଷ୍ଟ୍ରପତି ଜେଡି ଭାନ୍ସ। ଦଳର ପରାଜୟ ପଛରେ ଇରାନ ଯୁଦ୍ଧ, ଦେଶରେ ବଢ଼ୁଥିବା ମହଙ୍ଗାଇ ଏବଂ 'ଆମେରିକା ଫାଷ୍ଟ' ନୀତି ଉପରେ ଆବଶ୍ୟକ ଗୁରୁତ୍ୱ ନଦେବା ଭଳି କାରଣ ରହିଥିବା ସେ କହିଛନ୍ତି। ଏପରିକି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଯୁଦ୍ଧକୁ ପରାଜୟର ଏକ କାରଣ ଭାବେ ସ୍ୱୀକାର କରିଥିବା ଭାନ୍ସ ଦାବି କରିଛନ୍ତି।
ଭାନ୍ସଙ୍କ କହିବା ଅନୁଯାୟୀ, ଦେଶରେ ଯୁଦ୍ଧ ପରିସ୍ଥିତି ଓ ଆର୍ଥିକ ଚାପକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ଏହାର ପ୍ରଭାବ ନିର୍ବାଚନ ଫଳାଫଳରେ ପଡ଼ିଛି। ଇସ୍ରାଏଲ ସହ ଆମେରିକାର ସମ୍ପର୍କକୁ ନେଇ ମଧ୍ୟ ନୂଆ ଭାବେ ଚିନ୍ତା କରିବାର ଆବଶ୍ୟକତା ଥିବା ସେ ମତ ଦେଇଛନ୍ତି।
ଅସନ୍ତୁଷ୍ଟ ଭୋଟରଙ୍କ କଥା ସ୍ୱୀକାର କଲେ ଭାନ୍ସ
ନିର୍ବାଚନରେ ପରାଜୟ ପରେ ଦଳର ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଥିବା ଭୋଟରଙ୍କ ମତକୁ ମଧ୍ୟ ଭାନ୍ସ ଗୁରୁତ୍ୱ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଯେଉଁ ଲୋକମାନେ ପୂର୍ବରୁ ଦଳକୁ ଚେତାବନୀ ଦେଇଥିଲେ ଏବଂ ଏବେ ନିଜ କଥା ଠିକ୍ ପ୍ରମାଣିତ ହୋଇଥିବା କହୁଛନ୍ତି, ସେମାନଙ୍କ ମତକୁ ଅଣଦେଖା କରାଯାଇପାରିବ ନାହିଁ।
ଆଗାମୀ ଦୁଇ ବର୍ଷ ଦେଶର ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଲୋକଙ୍କ ପାଇଁ କାମ କରିବା ଏବଂ ୨୦୨୮ ରାଷ୍ଟ୍ରପତି ନିର୍ବାଚନରେ ବଡ଼ ବିଜୟ ହାସଲ କରିବା ଉପରେ ଦଳକୁ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଭୋଟରଙ୍କ ଅସନ୍ତୋଷ ହିଁ ପରାଜୟର ମୁଖ୍ୟ କାରଣ
ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ଦୀର୍ଘ ପୋଷ୍ଟ କରି ନିର୍ବାଚନ ଫଳାଫଳର ବିଶ୍ଳେଷଣ କରିଛନ୍ତି ଭାନ୍ସ। ତାଙ୍କ ଅନୁସାରେ, ଦଳର ତଥ୍ୟ ବିଶ୍ଳେଷକମାନେ ଭୋଟରଙ୍କ ଗୋଷ୍ଠୀ ଓ ଭୋଟଦାନର ଧାରାକୁ ନେଇ ଅଧ୍ୟୟନ କରୁଥିଲେ। ୨୦୨୪ ନିର୍ବାଚନର ଭୋଟରଙ୍କ ସହ ୨୦୨୬ର ଭୋଟରଙ୍କ ତୁଳନା କରାଯାଉଥିଲା।
ଅନେକ ରାଜ୍ୟରେ ରିପବ୍ଲିକାନ୍ ଦଳର ଭୋଟଦାନ ହାର ଭଲ ରହିଥିଲା। କିଛି ସ୍ଥାନରେ ଆଶାଠାରୁ ମଧ୍ୟ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏହାକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ବିଜୟ ଆଶା ମଧ୍ୟ ସୃଷ୍ଟି ହୋଇଥିଲା।
ତେବେ ତଥ୍ୟ ବିଶ୍ଳେଷଣ କରିବା ପରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଥିଲା। ୨୦୨୪ରେ ଟ୍ରମ୍ପ-ଭାନ୍ସଙ୍କୁ ସମର୍ଥନ କରିଥିବା ଅନେକ ଭୋଟର ଏଥର ଅସନ୍ତୁଷ୍ଟ ଥିଲେ। ସେମାନଙ୍କ ମଧ୍ୟରୁ କିଛି ଭୋଟର ବିରୋଧୀ ଦଳକୁ ସମର୍ଥନ କରିବାକୁ ମନସ୍ଥ କରିଥିବା ତଥ୍ୟରୁ ସଙ୍କେତ ମିଳିଥିଲା।