କାଠମାଣ୍ଡୁ: ନେପାଳର ମାଉଣ୍ଟ ଏଭରେଷ୍ଟ ଅଞ୍ଚଳରେ ଘଟିଛି ଭୟଙ୍କର ହେଲିକପ୍ଟର ଦୁର୍ଘଟଣା। ଫେରିଚେ ହେଲିପ୍ୟାଡ୍ରେ ଅବତରଣ ସମୟରେ ପରସ୍ପର ସହ ଧକ୍କା ହୋଇ କ୍ରାସ୍ ହୋଇଛି ଦୁଇଟି ହେଲିକପ୍ଟର। ଏହି ଦୁର୍ଘଟଣାରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ମୃତକ ଭାରତୀୟ
ସୂଚନା ଅନୁସାରେ, ନଭେମ୍ବର ୩ ତାରିଖ ମଙ୍ଗଳବାର ସକାଳେ ଏଭରେଷ୍ଟ ଅଞ୍ଚଳର ଫେରିଚେ ହେଲିପ୍ୟାଡ୍ରେ ଏହି ଦୁର୍ଘଟଣା ଘଟିଛି। ଦୁଇଟି ହେଲିକପ୍ଟର ଫିଶ୍ ଟେଲ୍ ଏୟାର ଏବଂ ଏୟାର ଡାଇନାଷ୍ଟିର ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଭାରତୀୟ ନାଗରିକ ବସନ୍ତ କୁମାର ବାଲାରାମାରାମଡୁଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଆହତଙ୍କ ମଧ୍ୟରେ ଭାରତୀୟ ନାଗରିକ ଶୈଳେଶ କୃଷ୍ଣ ପଟେଲଙ୍କ ସହ ଜଣେ ନ୍ୟୁଜିଲାଣ୍ଡ ନାଗରିକ ରହିଛନ୍ତି।
କାଠମାଣ୍ଡୁ ହସ୍ପିଟାଲକୁ ସ୍ଥାନାନ୍ତର ଆହତ
ଦୁର୍ଘଟଣାରେ ଆହତ ଦୁଇଜଣଙ୍କୁ ହେଲିକପ୍ଟର ଯୋଗେ କାଠମାଣ୍ଡୁସ୍ଥିତ ମେଡିସିଟି ହସ୍ପିଟାଲକୁ ନିଆଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ସୋଲୁଖୁମ୍ବୁ ଜିଲ୍ଲାର ପୋଲିସ ମୁଖ୍ୟ ମୌସମ ତାମାଙ୍ଗ ଏହି ଦୁର୍ଘଟଣା ଏବଂ ମୃତାହତଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି।
ସାମ୍ନାକୁ ଆସିଲା ଦୁର୍ଘଟଣାର ଭିଡିଓ
ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଭିଡିଓରେ ଦୁଇଟି ହେଲିକପ୍ଟର ପରସ୍ପର ନିକଟକୁ ଆସିବା ପରେ ଧକ୍କା ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଧକ୍କା ପରେ ହେଲିପ୍ୟାଡ୍ରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ହଠାତ୍ ଆତଙ୍କ ଖେଳିଯାଇଥିଲା। ଜୀବନ ବଞ୍ଚାଇବା ପାଇଁ ଲୋକେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ।
ଉଦ୍ଧାର କାର୍ଯ୍ୟ ଜାରି
ଘଟଣାସ୍ଥଳରେ ସିମ୍ରିକ୍ ଏୟାରର ଏକ ହେଲିକପ୍ଟର ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଛି। ଫିଶ୍ ଟେଲ୍ ଏୟାରର ହେଲିକପ୍ଟରକୁ କ୍ୟାପ୍ଟେନ୍ ପ୍ରଜ୍ଜ୍ୱଳ କେ.ସି. ଉଡ଼ାଉଥିବାବେଳେ ଏୟାର ଡାଇନାଷ୍ଟିର ହେଲିକପ୍ଟରର ଦାୟିତ୍ୱରେ କ୍ୟାପ୍ଟେନ୍ ରବିନ୍ଦ୍ର ପ୍ରଜାପତି ଥିଲେ।
ତେବେ ଦୁଇଟି ହେଲିକପ୍ଟର କିପରି ପରସ୍ପର ସହ ଧକ୍କା ହେଲା, ତାହାର କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାର ଅଧିକ ତଥ୍ୟ ସଂଗ୍ରହ କରୁଛନ୍ତି ନେପାଳର ସମ୍ପୃକ୍ତ ଅଧିକାରୀ।ଏଭରେଷ୍ଟ ଅଞ୍ଚଳରେ ଏହି ଦୁର୍ଘଟଣା ପୁଣିଥରେ ପର୍ବତାଞ୍ଚଳରେ ହେଲିକପ୍ଟର ଉଡ଼ାଣର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।