ମୁମ୍ବାଇ: ପରିବେଶ ଅନୁକୂଳ ଏବଂ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ ପାଇଁ ବଲିଉଡ୍ ଅଭିନେତ୍ରୀ ଦିୟା ମିର୍ଜା ଜାରି କରିଥିବା ଭିଡ଼ିଓକୁ ହଟାଇବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବମ୍ବେ ହାଇକୋର୍ଟ । ପୁନର୍ବାର ତାଙ୍କର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଅପଲୋଡ୍ କରିବାକୁ ହାଇକୋର୍ଟ ବମ୍ବେ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି ।
ବମ୍ବେ ହାଇକୋର୍ଟ ବିଚାରପତି ଗିରିଶ କୁଲକର୍ଣ୍ଣି ଏବଂ ବିଚାରପତି ନୀଲା ଗୋଖଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣିରେ କହିଛନ୍ତି ଯେ କିଛି ବ୍ୟକ୍ତି ବିଶେଷ, ବିଶେଷକରି ଜନପ୍ରତିନିଧିମାନଙ୍କ, ସଂକୀର୍ଣ୍ଣ ମାନସିକତା ଗଭୀର ଆଘାତ ଦେଇଛି। ପରିବେଶ ତଥା ବାୟୁ ଓ ଶବ୍ଦ ପ୍ରଦୂଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ଏକ ଭିଡିଓକୁ ଯେଭଳି ଭାବେ ଭିନ୍ନ ରୂପ ଦିଆଗଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ବିଏମସି କମିଶନରଙ୍କ କାର୍ଯ୍ୟର ପ୍ରଶଂସା କରି କୋର୍ଟ କହିଲେ ଯେ, ସଚେତନତା ଅଭିଯାନ ପାଇଁ ବିଶିଷ୍ଟ ବ୍ୟକ୍ତିତ୍ୱ ବା ସେଲିବ୍ରିଟିମାନଙ୍କୁ ଚୟନ କରିବାର ନିଷ୍ପତ୍ତି ସମ୍ପୂର୍ଣ୍ଣ ଉପଯୁକ୍ତ ଥିଲା। ଏଭଳି ଏକ ମହତ୍ ଉଦ୍ୟମକୁ ନେଇ ଅନାବଶ୍ୟକ ବିବାଦ ସୃଷ୍ଟି କରିବା ସମ୍ପୂର୍ଣ୍ଣ ଅଯୌକ୍ତିକ ଅଟେ। ଯେଉଁମାନେ ଏହି ଭିଡିଓକୁ ବିରୋଧ କରିଥିଲେ, ସେମାନଙ୍କୁ ସତର୍କ କରାଇ କୋର୍ଟ କହିଲେ ଯେ ସମାଜର ପ୍ରତ୍ୟେକ ବ୍ୟକ୍ତି ଧର୍ମ, ଜାତି କିମ୍ବା ମତ ନିର୍ବିଶେଷରେ ସମ୍ମାନ ପାଇବାର ଯୋଗ୍ୟ ଅଟନ୍ତି । କୋର୍ଟ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଆମ ଦେଶ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଏବଂ ଏହାର ନାଗରିକମାନେ ଏହି ଭାବନାକୁ ବଜାୟ ରଖିବା ଉଚିତ।
ଉଲ୍ଲେଖ ଯୋଗ୍ୟ, ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ ପାଇଁ ବିଏମସି ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲା । ଏଥିରେ ସାମିଲ ହେବାକୁ ସମସ୍ତ ଅଭିନେତା ଓ ଅଭିନେତ୍ରୀ ଏବଂ ବିଶିଷ୍ଟବ୍ୟକ୍ତିଙ୍କୁ ଆହ୍ୱାନ କରିଥିଲା । ଅଭିନେତ୍ରୀ ଦିୟା ମିର୍ଜା ମଧ୍ୟ ଏଥିରେ ସାମିଲ ହୋଇ ପରିବେଶ ଅନୁକୂଳ ଦୀପାବଳି ପାଳନ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ବିଜେପି ଏହା ଉପରେ ଆପତ୍ତି ଜଣାଇବାରୁ ବିବାଦ ଆରମ୍ଭ ହୋଇଥିଲା । ଶେଷରେ ବିଏମସି ଉକ୍ତ ଭିଡ଼ିଓଟିକୁ ହଟାଇ ଦେଇଥିଲା ।