ମୁୁମ୍ବାଇ: ନିତେଶ ତିୱାରୀଙ୍କ ବହୁପ୍ରତୀକ୍ଷିତ ଆଗାମୀ ସିନେମା 'ରାମାୟଣ' ଆସନ୍ତା ନଭେମ୍ବର ୫ ତାରିଖରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ଏହି ବିଗ୍ ବଜେଟ୍ ଫିଲ୍ମରେ ସୁପରଷ୍ଟାର ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସୁଥିବା ବେଳେ ପ୍ରସିଦ୍ଧ ଅଭିନେତ୍ରୀ ସାଇ ପଲ୍ଲବୀ ମାତା ସୀତାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମ ରିଲିଜ୍ ପୂର୍ବରୁ ଅକ୍ଟୋବର ୨୭ ତାରିଖରେ ଆମେରିକାରେ ଏହାର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଯାଇଛି।
ଏହି ସ୍କ୍ରିନିଂ କାର୍ଯ୍ୟକ୍ରମରେ ସାଇ ପଲ୍ଲବୀ ଫିଲ୍ମ ଏବଂ ରାବଣ ଚରିତ୍ର ସମ୍ପର୍କରେ ନିଜର ବ୍ୟକ୍ତିଗତ ମତାମତ ରଖିଥିଲେ। ହେଲେ ରାବଣକୁ ନେଇ ସେ ଦେଇଥିବା ବୟାନ ଏବେ ସୋସିଆଲ ମିଡିଆରେ ବିବାଦ ସୃଷ୍ଟି କରିଛି। ସାଇଙ୍କ ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ଲୋକ ତାଙ୍କ ବୟାନକୁ ନାପସନ୍ଦ କରୁଥିବା ବେଳେ ଅନ୍ୟ କେତେକ ତାଙ୍କ ସମର୍ଥନରେ ବାହାରିଛନ୍ତି।
ସ୍କ୍ରିନିଂ ସମୟରେ ସାଇ ପଲ୍ଲବୀ କହିଥିଲେ ଯେ, ଯଦି ଆପଣ କୌଣସି ଧର୍ମଗ୍ରନ୍ଥ ଉପରେ ବିଶ୍ୱାସ ରଖୁଛନ୍ତି, ତେବେ ନିଜ ଭିତରେ ଆତ୍ମଚିନ୍ତନ କରିବା ଆବଶ୍ୟକ। ନିଜ ଭିତରେ ଥିବା ଭଲ ଓ ଖରାପ ଗୁଣଗୁଡ଼ିକୁ ଚିହ୍ନଟ କରି ସମୟ ସହ ସେହି ଦୁର୍ବଳତାଗୁଡ଼ିକୁ ସୁଧାରିବା ଉଚିତ୍। କାରଣ ରାବଣ ସମ୍ପୂର୍ଣ୍ଣ ଭାବେ ଖରାପ ନ ଥିଲେ; ତେଣୁ ନିଜ ଭିତରର ରାବଣକୁ ଚିହ୍ନି ନିଜ ଆଚରଣରେ ପରିବର୍ତ୍ତନ ଆଣିବା ଜରୁରୀ।
ସାଇଙ୍କ ଏହି ବୟାନ ଭାଇରାଲ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ ଜଣେ ମହିଳା ଅପହରଣକାରୀର ପ୍ରଶଂସା କରୁଛନ୍ତି, ଯାହା ଗ୍ରହଣଯୋଗ୍ୟ ନୁହେଁ। ଅନ୍ୟ ଜଣେ ୟୁଜର୍ କହିଛନ୍ତି ଯେ ବିବାଦ ଓ ନକାରାତ୍ମକତା ସୃଷ୍ଟି କରୁଥିବା ଏଭଳି ବୟାନରୁ ନାୟିକାମାନେ ଦୂରେଇ ରହିବା ଉଚିତ୍। ସେହିପରି ଅନ୍ୟ କିଛି ସାଇଙ୍କ ସମର୍ଥନ କରି କହିଛନ୍ତି ଯେ ସେ ବାହାରର ରାବଣ ନୁହଁନ୍ତି, ବରଂ ମଣିଷ ଭିତରେ ଥିବା ଦୋଷତ୍ରୁଟି ଓ ଦୁର୍ବଳତାକୁ ସୁଧାରିବା କଥା କହିଛନ୍ତି, ତେଣୁ ତାଙ୍କୁ ବ୍ୟର୍ଥରେ ଟ୍ରୋଲ୍ କରାଯିବା ଉଚିତ୍ ନୁହେଁ।
ସୂଚନାଯୋଗ୍ୟ ଯେ, ନମିତ ମାଲହୋତ୍ରାଙ୍କ ପ୍ରଯୋଜନା ଏବଂ ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ବହୁଚର୍ଚ୍ଚିତ ଫିଲ୍ମ 'ରାମାୟଣ' ଦୁଇଟି ଭାଗରେ ରିଲିଜ୍ ହେବ। ଏହି ଚଳଚ୍ଚିତ୍ରରେ ରଣବୀର କପୁର ଓ ସାଇ ପଲ୍ଲବୀଙ୍କ ବ୍ୟତୀତ ରାବଣ ଭୂମିକାରେ ଦକ୍ଷିଣୀ ସୁପରଷ୍ଟାର ୟଶ୍, ହନୁମାନ ଭୂମିକାରେ ସନ୍ନି ଦେଓଲ ଏବଂ ଅନ୍ୟାନ୍ୟ ପ୍ରମୁଖ ଚରିତ୍ରରେ ରବି ଦୁବେ, ରକୁଲ ପ୍ରୀତ ସିଂହ, ଅରୁଣ ଗୋବିଲ, ବିବେକ ଓବରୟ ଓ ଲାରା ଦତ୍ତା ଅଭିନୟ କରୁଛନ୍ତି।