ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ଜ୍ୟାକି ଶ୍ରଫଙ୍କ ପୁଅ ଟାଇଗର ଶ୍ରଫଙ୍କ ଉପରକୁ ହୋଇଥିବା ଗୁଳି କାଣ୍ଡ ମାମଲାରେ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି । ଯେଉଁଥିରେ ଦୁଇ ଜଣ ଯୁବତୀ ମଧ୍ୟ ସମ୍ପୃକ୍ତ ଅଛନ୍ତି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡ ହରିୟାଣାର ସୋନିପତର କୁନାଲ (୨୧) ଓ ସୁମିତ (୧୯) ଗିରଫ ଏବଂ ଉତ୍ତରପ୍ରଦେଶର ରାଧା (୨୩) ଓ ବବିତା (୨୩) ଗିରଫ କରିଛି । ଏମାନେ ସମସ୍ତେ ଅନିଲ ପଣ୍ଡିତଙ୍କ ନିର୍ଦ୍ଦେଶରେ କାମ କରୁଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।
ପୂର୍ବରୁ ଏହି ଗୁଳିକାଣ୍ଡ ମାମଲାରେ ରାଜସ୍ଥାନ କୋଟା ରେଳ ଷ୍ଟେସନରୁ ଜଣେ ନାବାଳକଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ଏଯାବତ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି । ଉପରୋକ୍ତ ଚାରି ଜଣ ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରାଯାଇଛି । ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୩୫(୧)(ଖ) ଅଧୀନରେ ଏକ ଏକ ଔପଚାରିକ ପୋଲିସ ଅଭିଯୋଗ ମାଧ୍ୟମରେ ସେମାନଙ୍କୁ ଅଦାଲତରେ ହାଜର କରାଯାଇଥିଲା। ପରେ ମହାରାଷ୍ଟ୍ର ପୋଲିସର ସିଆଇଡି (ମୁମ୍ବାଇ) ଦଳ ଅଭିଯୁକ୍ତମାନଙ୍କୁ ହେପାଜତରେ ରଖି ପଚରାଉଚରା କରିବା ଏବଂ ସେମାନଙ୍କୁ ବିଧିବଦ୍ଧ ଭାବେ ଗିରଫ କରିବା ପାଇଁ ଅଦାଲତଙ୍କ ଅନୁମତି ଲୋଡ଼ିଥିଲେ।
ଅଦାଲତଙ୍କ ଅନୁମତି ପାଇବା ପରେ, ମୁମ୍ବାଇ ପୋଲିସ ଉକ୍ତ ଚାରି ଜଣ ବ୍ୟକ୍ତିଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରିଛି । ସେମାନଙ୍କୁ ତିନି ଦିନିଆ 'ଟ୍ରାଞ୍ଜିଟ୍ ରିମାଣ୍ଡ' ରେ ମୁମ୍ବାଇ ନେବା ପାଇଁ ଅନୁମତି ମିଳିଛି ।
ପୋଲିସର ସୂଚନା ଅନୁଯାୟୀ, କୁନାଲ ନିକଟରେ ଜାମିନରେ ଜେଲରୁ ମୁକୁଳିଥିଲା। ହରସାନା ଗାଁର ଜଣେ ପରିଚିତ ବ୍ୟକ୍ତିଙ୍କ ମାଧ୍ୟମରେ ତାହାର ଅନିଲ ପଣ୍ଡିତଙ୍କ ସହ ପରିଚୟ ହୋଇଥିଲା। ଏହା ପରେ, ଉଭୟ ଏକ ଗୋପନୀୟ ଆପ୍ ମାଧ୍ୟମରେ ପରସ୍ପର ସହ ଯୋଗାଯୋଗ କରିବା ଆରମ୍ଭ କରିଥିଲେ।
ଏହି ଘଟଣା ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଘଟିଥିଲା। ଟାଇଗର ଶ୍ରଫ୍ ଫୁଟବଲ୍ ଖେଳି ନିଜ କାରର ସାମ୍ନା ସିଟରେ ବସି ଘରକୁ ଫେରୁଥିଲେ । ଦୁଇଜଣ ଦୁର୍ବୃତ୍ତ କାର୍ ଉପରକୁ ଅତିକମରେ ସାତ ରାଉଣ୍ଡ ଗୁଳି କରି ତୁରନ୍ତ ବାଇକରେ ଫେରାର ହୋଇଯାଇଥିଲେ । ଟାଇଗର ଶ୍ରଫ୍ ଅଳ୍ପକେ ଗୁଳିମାଡ଼ରୁ ବର୍ତ୍ତି ଯାଇଥିଲେ, କିନ୍ତୁ ତାଙ୍କ ଗାଡ଼ି ଚାଳକ ଏବଂ ଏକ ଅଟୋ-ରିକ୍ସା ଚାଳକଙ୍କୁ ଗୁଳି ବାଜିଥିଲା। ଆକ୍ରମଣ ପରେ ତୁରନ୍ତ ଟାଇଗର ଶ୍ରଫ୍ ନିଜେ ଗାଡ଼ି ଚାଳକ ଆସନରେ ବସିଲେ ଏବଂ ଆହତ ଚାଳକଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ ।