ମୁମ୍ବାଇ: ବଲିଉଡ୍ ଜଗତରୁ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ଆକ୍ସନ ଷ୍ଟାର୍ ଟାଇଗର ଶ୍ରଫ୍ଙ୍କୁ ଟାର୍ଗେଟ୍ କରି ମୁମ୍ବାଇରେ ଗୁଳିକାଣ୍ଡ ଘଟିଛି। ଏହି ଭୟଙ୍କର ଆକ୍ରମଣରେ ଅଭିନେତାଙ୍କ କାର୍ ଡ୍ରାଇଭର ଏବଂ ଘଟଣାସ୍ଥଳରେ ଉପସ୍ଥିତ ଜଣେ ପ୍ରଶଂସକ ଆହତ ହୋଇଥିବା ଜଣାପଡ଼ିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଟାଇଗର ଶ୍ରଫ୍ ଜୁହୁ ସ୍ଥିତ ପୁଷ୍ପା ପାର୍କ୍ ଅଞ୍ଚଳରେ ଫୁଟବଲ୍ ଖେଳିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ବାଇକରେ ଆସିଥିବା ଦୁର୍ବୃତ୍ତମାନେ ହଠାତ୍ ଅଭିନେତାଙ୍କ ଗାଡ଼ିକୁ ଲକ୍ଷ୍ୟ କରି ପ୍ରାୟ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିମାଡ଼ ଶବ୍ଦରେ ସେଠାରେ ଆତଙ୍କ ଖେଳିଯାଇଥିଲା। ଏହି ଆକ୍ରମଣରେ ଡ୍ରାଇଭରଙ୍କ ସମେତ ଜଣେ ସ୍ଥାନୀୟ ଅଟୋ ଚାଳକ ଏବଂ ଜଣେ ଫ୍ୟାନ୍ ମଧ୍ୟ ଆହତ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।
ତେବେ ମୁମ୍ବାଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଆକ୍ରମଣରେ ଅଭିନେତା ଟାଇଗର ଶ୍ରଫ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ପୋଲିସ ଘଟଣାର ତଦନ୍ତ ଜୋରଦାର କରିବା ସହ ଅଜ୍ଞାତ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ଗଠନ କରିଛି।
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧମକ
ଏହି ଗୁଳିକାଣ୍ଡ ପଛରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତଥିବା ସାମ୍ନାକୁ ଆସିଛି। ଗ୍ୟାଙ୍ଗର ଜଣେ ସଦସ୍ୟ ଅନିଲ ପଣ୍ଡିତ ନାମକ ବ୍ୟକ୍ତି ଏକ ଅଡିଓ ଜାରି କରି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।
ସେହି ଭାଇରାଲ ଅଡିଓରେ ଅନିଲ ପଣ୍ଡିତ କହିଛି ଯେ, "ଆଜି ମୁମ୍ବାଇରେ ଟାଇଗର ଶ୍ରଫ୍ଙ୍କୁ ଯାହା କରାଯାଇଛି, ତା ପାଇଁ ନିଜକୁ ଦାୟୀ କରିଛି। ଆମେ ତାଙ୍କୁ ପୂର୍ବରୁ ବୁଝାଇଥିଲୁ, କିନ୍ତୁ ସେ ବୁଝିଲେ ନାହିଁ। ଯେଉଁମାନେ ଫିଲ୍ମ ଜଗତରେ ଆମଠାରୁ ଅଲଗା ହୋଇ କାମ କରିବେ କିମ୍ବା ସଲମାନଙ୍କ ସହ ମିଶି କାମ କରିବେ, ସେମାନଙ୍କର ଏମିତି ଅବସ୍ଥା ହେବ। ଏହା ପ୍ରଥମ ଏବଂ ଶେଷ ଚେତାବନୀ।"
ଏହା ସହିତ ଅଡିଓରେ ସଲମାନ ଖାନଙ୍କୁ ମଧ୍ୟ ପରୋକ୍ଷରେ ଧମକ ଦିଆଯାଇଛି। ବଲିଉଡରେ ସେଲେବ୍ରିଟିଙ୍କୁ ଟାର୍ଗେଟ୍ କରିବାର ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ସଲମାନ ଖାନ ଏବଂ ରୋହିତ ଶେଟ୍ଟୀଙ୍କ ବାସଭବନ ନିକଟରେ ମଧ୍ୟ ଗୁଳିକାଣ୍ଡ ଘଟିଥିବା ବେଳେ ଅନେକ କଳାକାରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିସାରିଛି। ବର୍ତ୍ତମାନ ଏହି ଘଟଣା ପରେ ବଲିଉଡ୍ କରିଡରରେ କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ଚିନ୍ତା ବଢ଼ିଯାଇଛି।