କରଣ ଜୋହରଙ୍କ ଚାଟ୍ ସୋ' 'କଫି ୱିଥ୍ କରଣ ୯' ରେ ସଲମାନ ଖାନ୍ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ ନିଜ ରୁମରେ ସେ ଅନ୍ୟ କାହାର ଉପସ୍ଥିତି ମଧ୍ୟ ଅନୁଭବ କରୁଥିଲେ। ସଲମାନ ଯେତେବେଳେ ବାଥରୁମ୍ ଯାଉଥିଲେ, ସେତେବେଳେ ଅଲମାରୀ ଆପେ ଆପେ ଖୋଲିଯାଉଥିଲା।
ଅଭିନେତା ସଲମାନ ଖାନ୍ କରଣ ଜୋହରଙ୍କ ଚାଟ୍ ସୋ' ‘କଫି ୱିଥ୍ କରଣ ୯’ ରେ ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟର ରୁମରେ ଘଟୁଥିବା ଅଲୌକିକ ଅନୁଭବ (Supernatural Experience) ସମ୍ପର୍କରେ କଥା ହୋଇଛନ୍ତି। ସେ ଦାବି କରିଛନ୍ତି ଯେ ସେ ନିଜ ରୁମରେ କେବେବି ଏକା ରହି ନାହାନ୍ତି। ସେ କହିଛନ୍ତି ଯେ ମୁଁ ସେଠାରେ ଏପରି କାହା ସହିତ ରହୁଥିଲି, ଯାହାକୁ ମୁଁ କେବେ ଦେଖି ନାହିଁ। ସଲମାନଙ୍କ ଏଭଳି କଥା ଶୁଣି କରଣ ଜୋହର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଆଶ୍ଚର୍ଯ୍ୟଭରା ଦୃଷ୍ଟିରେ ତାଙ୍କ ଆଡ଼କୁ ଚାହିଁ ରହିଥିଲେ। ତେବେ ସଲମାନ ଏହା ସ୍ପଷ୍ଟ କରି ନାହାନ୍ତି ଯେ ସେ ଯେଉଁ କଥାଗୁଡ଼ିକ କହୁଛନ୍ତି, ସେହି ଜିନିଷଗୁଡ଼ିକ ଏବେ ମଧ୍ୟ ସେଠାରେ ଅନୁଭବ ହେଉଛି କି ନାହିଁ। ସଲମାନ ଖାନ୍ କରଣ ଜୋହରଙ୍କ ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ ରେ ଏକ କ୍ୟାମିଓରେ ନଜର ଆସିଥିଲେ। ଶାହାରୁଖ ଖାନ୍ ଅଭିନୀତ ଏହି ଫିଲ୍ମରେ କ୍ୟାମିଓ କରିବାକୁ କେହି ମାନୁ ନଥିଲେ। ଏହାପରେ କରଣ ଜୋହର ସଲମାନଙ୍କ ସହ ଯୋଗାଯୋଗ କରିବାରୁ ସେ କାହାଣୀ ଶୁଣିବା ପାଇଁ କରଣଙ୍କୁ ଡାକିଥିଲେ।
କରଣ ଜୋହର କୁହନ୍ତି, “ଆପଣ ‘ଜବ୍ ପ୍ୟାର୍ କିସି ସେ ହୋତା ହୈ’ ର ସୁଟିଂ କରୁଥିଲେ ଏବଂ ମୁଁ ସେଟ୍ ରେ ଆପଣଙ୍କୁ (‘କୁଛ୍ କୁଛ୍ ହୋତା ହୈ’ ର) କାହାଣୀ ଶୁଣାଇବାକୁ ଯାଇଥିଲି। ମୁଁ ଦ୍ୱିପ୍ରହର ୨ଟାରେ ପହଞ୍ଚିଥିଲି, ସେତେବେଳେ ଆପଣ କହିଥିଲେ ଯେ ଆପଣଙ୍କର ଦ୍ୱିପ୍ରହର ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସିଫ୍ଟ ଅଛି। ଏହାପରେ ରାତି ୯ଟାରେ କହିଲେ ଯେ ଆପଣ ଘରକୁ ଆସନ୍ତୁ ଏବଂ ଫିଲ୍ମର କାହାଣୀ ଶୁଣାନ୍ତୁ।”
ସଲମାନଙ୍କ ରୁମ୍ ସମ୍ପର୍କରେ ଆଲୋଚନା
ଏହି ସମୟରେ କରଣ ଜୋହର କହିଛନ୍ତି ଯେ ସଲମାନ ତାଙ୍କ ପରିବାର ସହିତ ରହୁଥିଲେ। ସେ କହିଛନ୍ତି, “ସମସ୍ତଙ୍କ ଅବଗତି ନିମନ୍ତେ କହୁଛି, ସଲମାନଙ୍କ ପରିବାର ସାଙ୍ଗରେ ରହୁଥିଲେ। ଅରବାଜ, ସୋହେଲ, ସଲମା ଆଣ୍ଟି, ସଲିମ ସାହେବ.. ପ୍ରତ୍ୟେକେ.. ଏବଂ ଆପଣଙ୍କ ରୁମ୍ ସବୁଠାରୁ ଛୋଟ ଥିଲା। ଆପଣଙ୍କ ରୁମ୍ରେ ଗୋଟିଏ ଅଲମାରୀ ଥିଲା, ଗୋଟିଏ ବିଛଣା ଥିଲା, ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି, କାରଣ ମୁଁ ଭାବୁଥିଲି ଯେ ଏହା ସଲମାନ ଖାନଙ୍କ ରୁମ୍। ମୁଁ ଭିତରକୁ ଗଲି ଏବଂ ଆପଣ ସେଠାରେ ବସିଥିଲେ ଏବଂ ଆପଣ ସବୁ ପୋଷାକ କାଢ଼ି ଦେଇଥିଲେ, ଏବଂ କେବଳ ହଳଦିଆ ରଙ୍ଗର ସର୍ଟ୍ସରେ ଥିଲେ। ମୁଁ ଭାବିବାକୁ ଲାଗିଲି ଯେ ଏହାକୁ ନେଇ କିଏ କିଛି ଅନ୍ୟାନ୍ୟ ନ ଭାବୁ, ତେବେ ମୁଁ (ଅନ୍ୟ ପଟକୁ ଚାହିଁ) କାହାଣୀ ଶୁଣାଇବାକୁ ଲାଗିଲି।”
ସଲମାନଙ୍କ ରୁମରେ ‘କିଏ ଅଛି’?
କରଣ ଜୋହରଙ୍କ କଥା କାଟି ସଲମାନ କହନ୍ତି, “ଆପଣ ଜାଣିଛନ୍ତି, ସେହି ରୁମ୍ରେ ମୁଁ କେବେ ଏକା ରହି ନାହିଁ। ମୁଁ ସେଠାରେ ଏପରି ଜଣେ ବ୍ୟକ୍ତିଙ୍କ ସହିତ ରହୁଥିଲି, ଯାହାକୁ ମୁଁ କେବେ ଦେଖି ନାହିଁ, କେବଳ ଶୁଣିଛି। କେବଳ ପଛରେ ଅନୁଭବ କରିଛି।” ଯେତେବେଳେ କରଣ ଜୋହର ପ୍ରଶ୍ନ କଲେ ଯେ କିଏ? ତେବେ ସଲମାନ ଇଙ୍ଗିତରେ କହିଲେ ଯେ ଜାଣିନି କିଏ। ଆଗକୁ ସଲମାନ କୁହନ୍ତି, “ପ୍ରତିଥର ଯେତେବେଳେ ମୁଁ ବାହାରକୁ ଆସୁଥିଲି, ଲାଇଟ ଗୁଡ଼ିକ ଜଳିବା ଓ ଲିଭା ହେବାକୁ ଲାଗୁଥିଲା।” ସଲମାନଙ୍କ ଏହି କଥା ଶୁଣି କରଣ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଦିଶୁଥିଲେ।
କିନ୍ତୁ ସଲମାନ ନିଜ ରୁମ୍ ସମ୍ପର୍କରେ ଆଶ୍ଚର୍ଯ୍ୟଭରା କଥାଗୁଡ଼ିକ କହିବା ଜାରି ରଖିଥିଲେ। ସେ କହିଛନ୍ତି, “ଅଲମାରୀ ଖୋଲିଯାଉଥିଲା। ମ୍ୟୁଜିକ୍ ବାଜିବାକୁ ଲାଗୁଥିଲା। ଯେତେବେଳେ ମୁଁ ବାଥରୁମ୍ ଯାଉଥିଲି, ମୁଁ ଅନୁଭବ କରୁଥିଲି ଯେ ବାହାରେ କିଏ ଅଛି। ଅଲମାରୀ ସହିତ ଛେଡ଼ଚାଡ଼ କରାଯାଉଥିଲା ଏବଂ ଏହାକୁ ଖୋଲିଦିଆଯାଉଥିଲା। ଏହାପରେ ମୁଁ ଜାଣିବାକୁ ପାଇଲି ଯେ ସେଠାରେ ଅନ୍ୟ କେଏ ବି ଅଛି, ବା କିଛି ଅନ୍ୟ ଜିନିଷ ଅଛି।”
ଯେତେବେଳେ କରଣ ପଚାରିଲେ ଯେ ଆପଣଙ୍କୁ କ’ଣ ଭୟ ଲାଗିଲା? ତେବେ ସଲମାନ କହିଲେ, “ନା, ଭୟଙ୍କର ନୁହେଁ। ମୋର ମତ ହେଉଛି ସେଠାରେ ମୁଁ କାହାର ଉପସ୍ଥିତି ଅନୁଭବ କରୁଥିଲି। ପ୍ରତିଥର ଯେତେବେଳେ ମୁଁ ମ୍ୟୁଜିକ୍ ଅନ୍ କରୁଥିଲି, ସେତେବେଳେ ମୁଁ ତାକୁ ମୋ ପଛରେ ଅନୁଭବ କରୁଥିଲି ଏବଂ ମୁଁ କହୁଥିଲି ‘କ’ଣ ମ୍ୟୁଜିକ୍ ଶୁଣିବାକୁ ପସନ୍ଦ କରିବେ ଆପଣ’, କେଉଁ ପ୍ରକାରର ସଙ୍ଗୀତ? ତେବେ ମୁଁ ଯେକୌଣସି ବଟନ୍ ଟିପି ଦେଉଥିଲି ଏବଂ ସେଠାରୁ ବାହାରି ଯାଉଥିଲି।”
ସଲମାନ କୁହନ୍ତି, “ପୂର୍ବରୁ ସେଠାରେ ବାହାରେ ଗୋଟିଏ ବିଲିୟର୍ଡ୍ସ ଟେବୁଲ୍ ଥିଲା। ଆମେ ବିଲିୟର୍ଡ୍ସ ଖେଳୁଥିଲୁ, ଆମକୁ ଭିତରୁ କାହାର ଆୱାଜ୍ ଆସୁଥିଲା। ମୋର ଅଲମାରୀ ଖୋଲିଗଲା, ମ୍ୟୁଜିକ୍ ଅନ୍ ହୋଇଗଲା।” ଯେତେବେଳେ କରଣ ପୁଣିଥରେ ପଚାରିଲେ ଯେ ଏଥିରୁ ମଧ୍ୟ ଆପଣଙ୍କୁ ଭୟ ଲାଗିଲା ନାହିଁ କି? ତେବେ ସଲମାନ କହିଲେ, “ନା ନା। କେବେବି ଭୟ ଲାଗିଲା ନାହିଁ। ସେ କିଛି କରୁନଥିଲା। ମୋର ଗୋଟିଏ ହିଁ ଅନୁରୋଧ ଥାଏ ଯେ ଯଦି ଆପଣ ପ୍ରକୃତରେ ବହୁତ ବହୁତ ସୁନ୍ଦର ମହିଳା ଅଟନ୍ତି ତେବେ ଆପଣ ନିଜକୁ ମୋତେ ଦେଖାନ୍ତୁ।”