ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଅଭିମୁଖେ ଇଣ୍ଡି ମେଣ୍ଟର ବିରୋଧୀ ନେତାଙ୍କ ମାର୍ଚ୍ଚ ଏବଂ ତା'ପରେ ସୃଷ୍ଟି ହୋଇଥିବା ବିବାଦ ମାମଲାରେ ଦିନକୁ ଦିନ ନୂଆ ମୋଡ଼ ଆସୁଛି। ସୁପ୍ରିମକୋର୍ଟ ପରିସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଜଣେ ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଏହି ସମ୍ବନ୍ଧୀୟ ଆଭିଯୋଗର ଅନୁଧ୍ୟାନ ଓ ଯାଞ୍ଚ କରାଯିବ ବୋଲି ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ ସ୍ପଷ୍ଟ କରିଛନ୍ତି।
ପୂର୍ବରୁ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ବିଶାଳ ରାଲି ବାହାର କରାଯାଇଥିଲା। ଏହି ସମୟରେ ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ କଂଗ୍ରେସ ନେତାମାନେ ସୁପ୍ରିମକୋର୍ଟ ପରିସର ଭତରକୁ ପ୍ରବେଶ କରିଥିଲେ, ଯାହାଫଳରେ ସେଠାରେ ପ୍ରବଳ ଭିଡ଼ ଜମିଥିଲା।
ସାମ୍ନାକୁ ଆସିଥିବା ଏକ ଭିଡିଓ ତଥା ରିପୋର୍ଟ ଅନୁସାରେ, ରାହୁଲ ଗାନ୍ଧୀଙ୍କ ଚାରିପାଖରେ ଭିଡ଼ ଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ନିକଟରୁ ଯିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ରାହୁଲ ହାତରେ ସେହି ବ୍ୟକ୍ତିଙ୍କୁ ଆଗକୁ ଠେଲି ଦେଇଥିଲେ, ଯାହା ଫଳରେ ସେଠାରେ ଠିଆ ହୋଇଥିବା ଜଣେ ମହିଳା ସାମ୍ବାଦିକାଙ୍କ ଉପରେ ସେ ପଡ଼ିଥିଲେ। ଫଳରେ ଉକ୍ତ ଗର୍ଭବତୀ ମହିଳା ସାମ୍ବାଦିକା ଜଣକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଛି।
କୋର୍ଟରେ ଆଇନଜୀବୀଙ୍କ ଯୁକ୍ତି
ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ତଥା BJP ପ୍ରବକ୍ତା ଗୌରବ ଭାଟିଆ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ସୁପ୍ରିମକୋର୍ଟ ପରିସରରେ ଜଣେ ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଜାଣିଶୁଣି ଧକ୍କା ଦିଆଯିବା ଅତ୍ୟନ୍ତ ନିନ୍ଦନୀୟ। ସାମ୍ବାଦିକମାନେ ସେମାନଙ୍କ କର୍ତ୍ତବ୍ୟ କରୁଥିବା ବେଳେ ସେମାନଙ୍କୁ ସୁରକ୍ଷା ମିଳିବା ଆବଶ୍ୟକ। ଏହା ସହିତ ପ୍ରଦର୍ଶନ ସମୟରେ ମହିଳା ପୁଲିସ କର୍ମଚାରୀଙ୍କ ସହ ମଧ୍ୟ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି।
ତେବେ ଅନ୍ୟପଟେ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ ଏହାର ପ୍ରତିବାଦ କରି କୋର୍ଟରେ ରାଜନୀତି ଅଣାଯାଉଛି ବོଲି କହିଥିଲେ। ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏହି ମାମଲାର ଯାଞ୍ଚ କରାଯିବ ବୋଲି କହିଛନ୍ତି ଏବଂ ଏନେଇ ସମ୍ପୃକ୍ତ ନେତାମାନଙ୍କୁ ନୋଟିସ୍ ମଧ୍ୟ ଜାରି କରାଯାଇଛି।