ଏଣିକି କେବଳ ବହି କି ଶ୍ରେଣୀଗୃହରେ ସୀମିତ ରହିବନି ପାଠପଢ଼ା। ପ୍ରକୃତିର କୋଳରେ ରହି ଜଙ୍ଗଲ, ବନ୍ୟଜନ୍ତୁ ଓ ପରିବେଶ ସମ୍ପର୍କରେ ଶିକ୍ଷା ଲାଭ କରିବେ ଛାତ୍ରଛାତ୍ରୀ। ଏଥିପାଇଁ ଆସାମର ନାମେରି ଟାଇଗର ରିଜର୍ଭରେ ଆରମ୍ଭ ହୋଇଛି ଏକ ନିଆରା ଶିକ୍ଷା କାର୍ଯ୍ୟକ୍ରମ। ଏହାର ନାଁ ରହିଛି ‘ନାମେରି ୱାଇଲ୍ଡ କ୍ଲାସରୁମ୍’।
ଆସାମ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପଦକ୍ଷେପରେ ଅଷ୍ଟମ ଶ୍ରେଣୀ ଓ ତଦୂର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସହ କଲେଜ ପଢ଼ୁଆ ଛାତ୍ରଛାତ୍ରୀ ମଧ୍ୟ ଭାଗ ନେଇପାରିବେ। ଏଥିପାଇଁ ଦୁଇ ଓ ତିନି ଦିନିଆ ଆବାସିକ ଶିକ୍ଷା କାର୍ଯ୍ୟକ୍ରମ ରହିଛି।
ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ପକ୍ଷୀ ଦେଖିବା, ଗାଇଡ୍ଙ୍କ ସହ ଜଙ୍ଗଲ ଭ୍ରମଣ, ବନ୍ୟଜନ୍ତୁଙ୍କ ଗତିବିଧି ନିରୀକ୍ଷଣ ଓ ନଦୀର ପରିବେଶ ସମ୍ପର୍କରେ ଶିଖିବେ। ଏହାସହ ଜିଆ-ଭରାଲି ନଦୀରେ ରାଫ୍ଟିଂ କରିବାର ସୁଯୋଗ ମଧ୍ୟ ପାଇବେ। ଜଙ୍ଗଲ ନିକଟରେ ରହୁଥିବା ସ୍ଥାନୀୟ ଲୋକଙ୍କ ପରମ୍ପରା ଓ ପ୍ରକୃତି ସହ ସେମାନଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜାଣିପାରିବେ।
ପ୍ରକୃତିବିତ୍ ଓ ବନ ବିଭାଗର କର୍ମଚାରୀ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବେ। ଏହି ସମୟରେ ପିଲାମାନେ ନିଜ ଅନୁଭୂତି ଓ ପର୍ଯ୍ୟବେକ୍ଷଣକୁ ଫିଲ୍ଡ ଜର୍ଣ୍ଣାଲରେ ଲେଖିବେ । କାର୍ଯ୍ୟକ୍ରମ ଶେଷରେ ସେମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଆଯିବ।
ଆସାମର ଜଙ୍ଗଲ ଓ ଜୈବ ବିବିଧତା ସୁରକ୍ଷା ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବଢ଼ାଇବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ। ଏହାଦ୍ୱାରା ଭବିଷ୍ୟତରେ ବନ୍ୟଜନ୍ତୁ ଗବେଷଣା, ପରିବେଶ ବିଜ୍ଞାନ ଓ ସଂରକ୍ଷଣ କ୍ଷେତ୍ରରେ କ୍ୟାରିୟର କରିବାକୁ ମଧ୍ୟ ଯୁବପିଢ଼ି ପ୍ରେରଣା ପାଇପାରିବେ।