ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଐତିହାସିକ ଜନ୍ତରମନ୍ତରକୁ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ ସ୍ଥଳୀ ତାଲିକାରୁ ବାଦ୍ ଦେବା ନିଷ୍ପତ୍ତି ବିରୋଧରେ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ଶୀର୍ଷ ଅଦାଲତରେ ଏକ ରିଟ୍ ଆବେଦନ ଦାଖଲ କରାଯାଇଛି। ଆବେଦନକାରୀଙ୍କ ଯୁକ୍ତି ରହିଛି ଯେ, ଏଭଳି ପଦକ୍ଷେପ ଦ୍ୱାରା ନାଗରିକଙ୍କ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଭଳି ମୌଳିକ ଅଧିକାର ଗୁରୁତ୍ଵହୀନ ଏବଂ ପ୍ରଭାବହୀନ ହୋଇଯିବ।
କେନ୍ଦ୍ର ସରକାର ନିକଟରେ ଦିଲ୍ଲୀର ଜନ୍ତରମନ୍ତରକୁ ଆନୁଷ୍ଠାନିକ ପ୍ରଦର୍ଶନ ସ୍ଥଳୀ ତାଲିକାରୁ ହଟାଇ ସେଠାରୁ ପ୍ରଦର୍ଶନ କଟକଣା କଡ଼ାକଡ଼ି କରିଛନ୍ତି ଏବଂ ଅନ୍ୟ କିଛି ନୂଆ ସ୍ଥାନ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆଇନଜୀବୀଙ୍କ ଜରିଆରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନରେ କୁହାଯାଇଛି ଯେ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କେବଳ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାଠି ହେବା ନୁହେଁ, ବରଂ ସରକାରୀ ନୀତି ଓ ନିଜର ଅସନ୍ତୋଷ ଜଣାଇବା ଏବଂ ସମାଜର ଦୃଷ୍ଟି ଆକର୍ଷଣ କରିବାର ଏକ ମାଧ୍ୟମ ଅଟେ।
ପ୍ରଦର୍ଶନ ସ୍ଥଳୀକୁ ସହରଠାରୁ ଦୂରକୁ କିମ୍ବା ଅନୁପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କଲେ ସରକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ପହଞ୍ଚାଇବା କଷ୍ଟକର ହୋଇପଡ଼ିବ। ଏହାବ୍ୟତୀତ ନୂତନ ସ୍ଥାନଗୁଡ଼ିକ ପାଇଁ କୌଣସି ସ୍ପଷ୍ଟ ମାନକ ପରିଚାଳନା ପ୍ରଣାଳୀ (SOP) ଜାରି କରାଯାଇ ନଥିବାରୁ ଏହା ଆନ୍ଦୋଳନକାରୀଙ୍କ ପାଇଁ ଅନିଶ୍ଚିତତା ସୃଷ୍ଟି କରୁଛି ବୋଲି ଆବେଦନରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ଜନ୍ତର ମନ୍ତରରେ ନିକଟ ଦିନରେ ହୋଇଥିବା ଆନ୍ଦୋଲନ ଏବଂ ବିକ୍ଷୋଭ ପ୍ରଦର୍ଶନ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସବୁଠୁ ବଡ଼ କଥା ଏହା ଦିଲ୍ଲୀର କେନ୍ଦ୍ରସ୍ଥଳରେ ଅବସ୍ଥିତ। ପୁଣି ଜନ୍ତର ମନ୍ତର ନିକଟରେ ରାଷ୍ଟ୍ରପତି ଭବନ, ସୁପ୍ରିମକୋର୍ଟ, ସଂସଦ ରହିଛି। ତେଣୁ ସୁରକ୍ଷା ଦୃଷ୍ଟିକୋଣରୁ ଏହା ସମ୍ବେଦନଶୀଳ ଥିବା ଦର୍ଶାଇ ଦିଲ୍ଲୀ ପୋଲିସ ଜନ୍ତର ମନ୍ତରକୁ ଆନୁଷ୍ଠାନିକ ପ୍ରତିବାଦ ସ୍ଥଳ ତାଲିକାର ହଟାଇ ଦେଇଛି। ଏହାକୁ ନେଇ ସିଜେପି ମଧ୍ୟ ତୀବ୍ର ବିରୋଧ କରିଛି।