ଦୁର୍ଗାପୂଜା ଓ ଦଶହରା ପୂର୍ବରୁ ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର। ଯୋଗ୍ୟ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ଦରମା ସହ ସମାନ ବୋନସ୍। ଏଥିପାଇଁ କେନ୍ଦ୍ର ସରକାର ମୋଟ ୨,୦୦୯.୬୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତିରେ ଦେଶର ପ୍ରାୟ ୧୧.୪୦ ଲକ୍ଷ ରେଳ କର୍ମଚାରୀ ଉପକୃତ ହେବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଏହି ବୋନସ୍ ପ୍ରସ୍ତାବକୁ ଅନୁମୋଦନ କରିଛି। ଯୋଗ୍ୟ କର୍ମଚାରୀଙ୍କ ପାଇଁ ସର୍ବାଧିକ ବୋନସ୍ ରାଶି ୧୭,୯୫୧ ଟଙ୍କା ରହିଛି। ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ସହ ସେମାନଙ୍କୁ ଆହୁରି ଉତ୍ସାହିତ କରିବା ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ।
କେଉଁମାନେ ପାଇବେ ବୋନସ୍?
ଏହି ବୋନସ୍ର ଲାଭ ଟ୍ରାକ୍ ମେଣ୍ଟେନର୍, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର୍, ଷ୍ଟେସନ୍ ମାଷ୍ଟର୍, ସୁପରଭାଇଜର୍, ଟେକ୍ନିସିଆନ୍, ପଏଣ୍ଟସମ୍ୟାନ୍, ମନ୍ତ୍ରାଳୟ କର୍ମଚାରୀଙ୍କ ସମେତ ଅନ୍ୟ ଯୋଗ୍ୟ ଗ୍ରୁପ୍-ସି କର୍ମଚାରୀ ପାଇବେ।
ଗତବର୍ଷ ତୁଳନାରେ ବଢ଼ିଲା ବୋନସ୍ ବଜେଟ୍
୨୦୨୫ରେ ୧୦,୯୧,୧୪୬ ଜଣ ରେଳ କର୍ମଚାରୀଙ୍କ ପାଇଁ ୧,୮୬୫.୬୮ କୋଟି ଟଙ୍କାର ବୋନସ୍ ମଞ୍ଜୁର ହୋଇଥିଲା। ଚଳିତ ବର୍ଷ ବୋନସ୍ ବାବଦ ଅର୍ଥରାଶି ୧୪୩.୯୩ କୋଟି ଟଙ୍କା ବଢ଼ିଛି। ଏଥର ପ୍ରାୟ ୪୯,୬୦୦ ଅଧିକ କର୍ମଚାରୀ ଏହାର ଲାଭ ପାଇବେ। ତେବେ ୭୮ ଦିନର ବୋନସ୍ ଏବଂ ସର୍ବାଧିକ ୧୭,୯୫୧ ଟଙ୍କାର ସୀମା ଅପରିବର୍ତ୍ତିତ ରହିଛି।
ରେଳବାଇର ସୂଚନା ଅନୁସାରେ, ୨୦୨୫-୨୬ ଆର୍ଥିକ ବର୍ଷରେ ରେଳବାଇ ୧,୬୭୦ ନିୟୁତ ଟନ୍ ମାଲ ପରିବହନ କରିବା ସହ ପ୍ରାୟ ୭୪୧ କୋଟି ଯାତ୍ରୀଙ୍କୁ ପରିବହନ କରିଛି। ଏହି ପ୍ରଦର୍ଶନକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ପାଇଁ ବୋନସ୍ ମଞ୍ଜୁର କରାଯାଇଛି।