ମିରଟ୍: ଚର୍ଚ୍ଚିତ ନୀଳ ଡ୍ରମ୍ ହତ୍ୟା ମାମଲାରେ ବଡ଼ ରାୟ। ନିଜ ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ସିମେଣ୍ଟ ଭର୍ତ୍ତି ଡ୍ରମ୍ରେ ଲୁଚାଇଥିବା ଅଭିଯୋଗରେ ପତ୍ନୀ ମୁସ୍କାନ ରସ୍ତୋଗୀ ଓ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଉତ୍ତରପ୍ରଦେଶର ମିରଟ୍ରେ ଘଟିଥିବା ଏହି ହତ୍ୟା ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା।
ମୃତକ ହେଉଛନ୍ତି ମର୍ଚାଣ୍ଟ ନେଭି ଅଧିକାରୀ ସୌରଭ ରାଜପୁତ। ଗତ ବର୍ଷ ମାର୍ଚ୍ଚ ୩ ତାରିଖରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ମାମଲାରେ ୧୨୬ଟି ଶୁଣାଣି ଓ ୨୨ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଦାଲତ ରାୟ ଶୁଣାଇଛନ୍ତି। ରାୟ ଘୋଷଣା ପୂର୍ବରୁ ମୁସ୍କାନ ଓ ସାହିଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
ଏମିତି ଥିଲା ହତ୍ୟାର ଭୟଙ୍କର ଷଡ଼ଯନ୍ତ୍ର
ଅଭିଯୋଗ ଅନୁସାରେ, ମୁସ୍କାନ ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ସ୍ୱାମୀ ସୌରଭଙ୍କୁ ଅଚେତ କରିଥିଲେ। ଏହାପରେ ତାଙ୍କ ପ୍ରେମିକ ସାହିଲ ଘରେ ପହଞ୍ଚିଥିଲେ। ଦୁହେଁ ମିଶି ସୌରଭଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କରିବା ସହ ମୃତଦେହକୁ ଖଣ୍ଡବିଖଣ୍ଡ କରିଥିବା ପ୍ରସିକ୍ୟୁସନ୍ ପକ୍ଷରୁ କୁହାଯାଇଥିଲା।
ପରେ ମୃତଦେହର ଖଣ୍ଡଗୁଡ଼ିକୁ ଏକ ବଡ଼ ନୀଳ ପ୍ଲାଷ୍ଟିକ୍ ଡ୍ରମ୍ରେ ରଖି ସେଥିରେ ବାଲି, ପାଣି ଓ ସିମେଣ୍ଟ ଭର୍ତ୍ତି କରି ଢାଙ୍କି ଦିଆଯାଇଥିଲା। ଏହି ନୀଳ ଡ୍ରମ୍ଟି ପରବର୍ତ୍ତୀ ସମୟରେ ମାମଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଲଟିଥିଲା।
ଝିଅର କଥାରୁ ମିଳିଥିଲା ସୁରାକ୍
ଘଟଣା ପରଦିନ ମୁସ୍କାନ ଓ ସାହିଲ ହିମାଚଳ ପ୍ରଦେଶକୁ ଚାଲିଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଏପରିକି ସୌରଭଙ୍କ ମୋବାଇଲ୍ରୁ ପରିବାର ଲୋକଙ୍କୁ ମେସେଜ୍ ପଠାଇ ସେ ଜୀବିତ ଥିବା ଭଳି ଦେଖାଇବାକୁ ଉଦ୍ୟମ କରାଯାଇଥିଲା।
ମାର୍ଚ୍ଚ ୧୭ ତାରିଖରେ ସନ୍ଦେହ ହେବାରୁ ସମ୍ପର୍କୀୟମାନେ ଘରେ ପହଞ୍ଚିଥିଲେ। ଏହି ସମୟରେ ସୌରଭଙ୍କ ୬ ବର୍ଷୀୟ ଝିଅ ପଡ଼ୋଶୀଙ୍କୁ ‘ପାପା ଡ୍ରମ୍ ଭିତରେ ଅଛନ୍ତି’ ବୋଲି କହିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା। ପରେ ପୁଲିସ ଡ୍ରମ୍କୁ କାଟି ମୃତଦେହର ଅବଶେଷ ଉଦ୍ଧାର କରିଥିଲା।
ଡ୍ରମ୍, ସିମେଣ୍ଟ, ବାଲି ଓ ହତ୍ୟାରେ ବ୍ୟବହୃତ ସାମଗ୍ରୀ କିଣାଯାଇଥିବା ଦୋକାନୀଙ୍କ ବୟାନ ସହ ମୋବାଇଲ୍ ଲୋକେସନ୍ ଓ କଲ୍ ରେକର୍ଡ ମଧ୍ୟ ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହୋଇଥିଲା। ଏହି ଘଟଣା ଏକ ଛଅ ବର୍ଷର ଶିଶୁକୁ ପିତାଙ୍କଠାରୁ ଦୂରେଇ ଦେବା ସହ ସମାଜକୁ ମଧ୍ୟ ଗଭୀର ଭାବେ ଦୋହଲାଇ ଦେଇଛି।