ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ କାର୍ ଉପରକୁ ଗୁଳିମାଡ଼ ଘଟଣାରେ ତଦନ୍ତ ଯେତିକି ତ୍ୱରାନ୍ୱିତ ହେଉଛି, ସେତିକି ନୂଆ ଏବଂ ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି। ପୁଲିସ ତଦନ୍ତରୁ ଜଣାପଡିଛି ଯେ ଟାଇଗର ଶ୍ରଫ୍ ଆକ୍ରମଣକାରୀଙ୍କ ପ୍ରଥମ ଟାର୍ଗେଟ୍ ନଥିଲେ। ତାଙ୍କୁ ଆକ୍ରମଣ କରିବା ପୂର୍ବରୁ ଅଭିଯୁକ୍ତମାନେ ବଲିଉଡ୍ର ତିନି ପ୍ରମୁଖ ଦିଗ୍ଗଜ ଅଭିନେତା—ଅମିତାଭ ବଚ୍ଚନ, ଅକ୍ଷୟ କୁମାର ଓ ଆମିର ଖାନଙ୍କ ଘର ନିକଟରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ (ରେକି) କରିଥିଲେ। ତେବେ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବାରୁ ସେମାନେ ନିଜର ଯୋଜନା ବଦଳାଇ ଶେଷରେ ଟାଇଗର ଶ୍ରଫଙ୍କୁ ଟାର୍ଗେଟ୍ କରିଥିଲେ।
ଉତ୍ତରପ୍ରଦେଶରୁ ଆସିଥିଲା ବନ୍ଧୁକ, ମାମଲାରେ ୧୦ ଜଣ ଗିରଫ
ମୁମ୍ବାଇ କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, ଏହି ସମଗ୍ର ଘଟଣାରେ ଗିରଫଦାରୀ ସଂଖ୍ୟା ବର୍ତ୍ତମାନ ୧୦କୁ ବୃଦ୍ଧି ପାଇଛି। ଗୁଳିମାଡ଼ରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ମୁମ୍ବାଇ ପୁଲିସ ବୁଧବାର ସମୀର ଓ ଜତିନ ନାମକ ଆଉ ଦୁଇ ଜଣଙ୍କୁ ଗିରଫ କରିଛି।
ଏହାପୂର୍ବରୁ ଏହି ମାମଲାରେ ହରିୟାଣା ଓ ଦିଲ୍ଲୀରୁ ଦୁଇ ମହିଳାଙ୍କ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ କୁନାଲ, ସୁମିତ, ରାଧା ଓ ବବିତା। ଏହାଛଡ଼ା ରାଜସ୍ଥାନର କୋଟାରୁ ତିନି ଜଣ ମୁଖ୍ୟ ଗୁଳିଚାଳକ—ଋତିକ, ରେହାନ ଓ ଫୁଲ୍ ସିଂହଙ୍କୁ ପୁଲିସ କାବୁ କରିଥିଲା।
ମହିଳାଙ୍କ ଜରିଆରେ ହୋଇଥିଲା ହତିଆର ଚାଲାଣ
ତଦନ୍ତରୁ ଜଣାପଡିଛି ଯେ କୁନାଲ ଓ ସୁମିତ ଅସ୍ତ୍ର କିଣିବା ପାଇଁ ଅମୃତସର ଯାଇଥିଲେ। କୁନାଲଙ୍କ ନିର୍ଦ୍ଦେଶରେ ରାଧା ଓ ବବିତା ନାମକ ଦୁଇ ମହିଳା ଉତ୍ତରପ୍ରଦେଶରୁ ବନ୍ଧୁକ ଆଣି ମୁମ୍ବାଇରେ ପହଞ୍ଚାଇଥିଲେ। ଅକ୍ଟୋବର ୧୭ ତାରିଖରେ ସେମାନେ ମୁମ୍ବାଇର ଦାଦର ଷ୍ଟେସନ୍ରେ ପହଞ୍ଚି ଏକ ହୋଟେଲ୍ରେ ରହିଥିଲେ। ପରଦିନ ପୂର୍ବାହ୍ଣରେ ଜଣେ ନାବାଳକ ହୋଟେଲ୍ ନିକଟରେ ପହଞ୍ଚି ରାଧାଙ୍କଠାରୁ ବନ୍ଧୁକ ଥିବା ବ୍ୟାଗ୍ ସଂଗ୍ରହ କରିଥିଲା। ଆକ୍ରମଣ ପରେ ରାଧା ଓ ବବିତା ଦିଲ୍ଲୀ ଫେରି ଯାଇଥିଲେ ହେଁ, ଅକ୍ଟୋବର ୨୦ରେ ପୁଲିସ ସେମାନଙ୍କୁ ନୂଆଦିଲ୍ଲୀ ରେଳ ଷ୍ଟେସନ୍ରୁ ଗିରଫ କରିଥିଲା। ସେହିପରି କୁନାଲ ଓ ସୁମିତଙ୍କୁ ସୋନିପତରୁ ଧରାଯାଇଥିଲା।
କେମିତି ଘଟିଥିଲା ଆକ୍ରମଣ?
ଅକ୍ଟୋବର ୧୮ ତାରିଖ ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ଏକ ଫୁଟ୍ବଲ୍ କ୍ଲବ୍ରୁ ଟାଇଗର ଶ୍ରଫ୍ ବାହାରୁଥିବା ସମୟରେ ତାଙ୍କ କାର୍ ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ଟାଇଗର ସୁରକ୍ଷିତ ଥିବାବେଳେ ତାଙ୍କ ଗାଡ଼ି ଚାଳକ ଆହତ ହୋଇଥିଲେ। ଏହି ଆକ୍ରମଣ ପାଇଁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍ ଦାୟିତ୍ୱ ନେଇଥିବା ଏକ ସୋସିଆଲ୍ ମିଡିଆ ପୋଷ୍ଟ ଭାଇରାଲ୍ ହୋଇଥିଲେ ମଧ୍ୟ ପୁଲିସ ଏହାର ସତ୍ୟତା ଯାଞ୍ଚ କରୁଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଛି।