ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ ବିକାନେର ହାଉସ୍ରେ ଆୟୋଜିତ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରେହାନ ଭଦ୍ରାଙ୍କ ଫୋଟୋ ପ୍ରଦର୍ଶନୀରୁ ୭୦ରୁ ଅଧିକ ଫୋଟୋ ହଟାଯିବା ଘଟଣାକୁ ନେଇ ସାରା ଦେଶରେ ରାଜନୈତିକ ସରଗରମ ବୃଦ୍ଧି ପାଇଛି। ଏହି ବିବାଦ ବଢ଼ିବା ପରେ ସଫାଇ ଦେଇଛି ବିକାନେର ହାଉସ୍ ସୋସାଇଟି। ସୋସାଇଟି ପକ୍ଷରୁ କୁହାଯାଇଛି ଯେ, ପ୍ରଦର୍ଶନୀରେ ଥିବା କିଛି ଫୋଟୋ ସୋସାଇଟିର ନୀତିନିୟମ ଏବଂ ନିର୍ଦ୍ଦେଶାବଳୀ ସହ ମେଳ ଖାଉ ନଥିବାରୁ ସେଗୁଡ଼ିକୁ ହଟାଇବା ପାଇଁ ଅନୁରୋଧ କରାଯାଇଥିଲା। ତେବେ ଅନ୍ୟ ସମସ୍ତ ଫୋଟୋ ଏବେ ବି ପ୍ରଦର୍ଶନୀରେ ରହିଥିବା ସୋସାଇଟି ସ୍ପଷ୍ଟ କରିଛି।
ଏକ ଆଧିକାରିକ ବୟାନ ଜାରି କରି ସୋସାଇଟି ପ୍ରକାଶ କରିଛି ଯେ, ବିକାନେର ହାଉସ୍ ହେଉଛି କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ ଏକ ସାର୍ବଜନୀନ ସାଂସ୍କୃତିକ ଅନୁଷ୍ଠାନ। ଏଠାରେ ଆୟୋଜିତ ହେଉଥିବା ପ୍ରତ୍ୟେକ ପ୍ରଦର୍ଶନୀ ଏବଂ ତତ୍ସଂଲଗ୍ନ କାର୍ଯ୍ୟକ୍ରମ ପରିଚାଳନା କମିଟିର ନୀତିକାନ୍ତି ଅନୁଯାୟୀ ହେବା ଆବଶ୍ୟକ। ରେହାନ ଭଦ୍ରାଙ୍କ ଏକକ ଫୋଟୋ ପ୍ରଦର୍ଶନୀ ‘ନୋ ଆଇଡିଆ ଇଜ୍ ଫାଇନାଲ୍’ର କେତେକ ଫୋଟୋ ନୀତିସଙ୍ଗତ ନଥିବାରୁ ସେଗୁଡ଼ିକୁ କାଢ଼ିନେବା ପାଇଁ କୁହାଯାଇଥିଲା।
ଅନ୍ୟପଟେ, ପ୍ରିୟଙ୍କା ଗାନ୍ଧୀ ଏବଂ ରବର୍ଟ ଭଦ୍ରାଙ୍କ ପୁଅ ରେହାନ ଭଦ୍ରା ପ୍ରକାଶ କରିଛନ୍ତି ଯେ, ନିକଟରେ ଦିଲ୍ଲୀରେ ହୋଇଥିବା ବିଭିନ୍ନ ବିରୋଧ ପ୍ରଦର୍ଶନ ଓ ଆନ୍ଦୋଳନକୁ ଚିତ୍ରିତ କରୁଥିବା ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଫୋଟୋକୁ ବିକାନେର ହାଉସ୍ ପ୍ରଶାସନ ପ୍ରଦର୍ଶନୀ ପୂର୍ବରୁ ହଟାଇ ଦେଇଛି। ପ୍ରଦର୍ଶନୀର ସମ୍ପୂର୍ଣ୍ଣ ପ୍ରସ୍ତାବ ଓ ନକ୍ସା ପୂର୍ବରୁ ସୋସାଇଟି ସହ ଶେୟାର କରାଯାଇଥିଲା, ତଥାପି ପ୍ରଦର୍ଶନୀ ଦିନ ଅପରାହ୍ନ ୩:୩୦ରେ ସୂଚନା ଦିଆଯାଇ ସନ୍ଧ୍ୟା ୫ଟା ସୁଦ୍ଧା ଫୋଟୋ ନହଟାଇଲେ କାର୍ଯ୍ୟକ୍ରମ ବାତିଲ କରାଯିବ ବୋଲି ଚେତାବନୀ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।
ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନକୁ ‘ହାସ୍ୟାସ୍ପଦ’ ବୋଲି କହିବା ସହ ଦେଶର ଯୁବକମାନଙ୍କ ସ୍ୱରକୁ ଚାପିଦେବା ପାଇଁ ଏହା ଏକ ହୀନ ପ୍ରୟାସ ବୋଲି ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆ 'ଏକ୍ସ'ରେ ନିଜ ପୁଅ ପାଇଁ ଏକ ଭାବପୂର୍ଣ୍ଣ ସନ୍ଦେଶ ଲେଖି ପ୍ରିୟଙ୍କା କହିଛନ୍ତି, "କ୍ଷମତାରେ ଥିବା ବ୍ୟକ୍ତି ଯେତେବେଳେ ଅନ୍ୟର ଅଭିବ୍ୟକ୍ତିକୁ ଡରିବାକୁ ଲାଗନ୍ତି, ସେତେବେଳେ ସେ ନିଜର ବାସ୍ତବ ଶକ୍ତି ହରାଇସାରିଥାନ୍ତି। ଆପଣ ସଦାସର୍ବଦା ସତ୍ୟ ସହ ଠିଆ ହୁଅନ୍ତୁ, ପ୍ରତ୍ୟେକ ସୁନ୍ଦର ଜିନିଷ ନିଜେ ଆପଣଙ୍କ ପାଖକୁ ଆସିବ। ମୋର ଆପଣଙ୍କ ଉପରେ ଗର୍ବ ଅଛି ଏବଂ ସବୁବେଳେ ରହିବ।"