ଭୁବନେଶ୍ୱର: ଅନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ପୁଣି ଚମକିଲେ ଓଡ଼ିଶାର ଝିଅ ଜୟନ୍ତୀ ବେହେରା। ଏସିଆନ୍ ପାରା ଗେମ୍ସରେ ଦମ୍ଦାର ପ୍ରଦର୍ଶନ କରି ସେ ରୌପ୍ୟ ପଦକ ହାସଲ କରିଛନ୍ତି। ଜୟନ୍ତୀଙ୍କ ଏହି ସଫଳତାରେ ଓଡ଼ିଶା ସମେତ ସମଗ୍ର ଦେଶ ଗର୍ବିତ।
ମହିଳା ୪୦୦ ମିଟର T47 ବର୍ଗରେ ଭାଗ ନେଇ ଜୟନ୍ତୀ ୧ ମିନିଟ୍ ୦.୬୫ ସେକେଣ୍ଡରେ ଦୌଡ଼ ଶେଷ କରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ନିଜର ଦୃଢ଼ ମନୋବଳ, ଅକ୍ଳାନ୍ତ ପରିଶ୍ରମ ଓ ଉତ୍କୃଷ୍ଟ କ୍ରୀଡ଼ା ଦକ୍ଷତା ବଳରେ ସେ ଏହି ସଫଳତା ପାଇଛନ୍ତି।
ଏହି ଇଭେଣ୍ଟରେ ଭାରତର ଅଞ୍ଜନାବେନ୍ ବୁମ୍ବାଡିୟା ଚମତ୍କାର ପ୍ରଦର୍ଶନ କରି ପ୍ରଥମ ସ୍ଥାନ ହାସଲ କରିବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫଳରେ ଏହି ବର୍ଗରେ ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି।
ଜୟନ୍ତୀଙ୍କ ଏହି ସଫଳତା କେବଳ ଓଡ଼ିଶା ପାଇଁ ଗର୍ବର ବିଷୟ ନୁହେଁ, ବରଂ ଅନେକ ଯୁବ କ୍ରୀଡ଼ାବିତ୍ଙ୍କ ପାଇଁ ମଧ୍ୟ ପ୍ରେରଣା। ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ପରିଶ୍ରମ ଦ୍ୱାରା ଲକ୍ଷ୍ୟ ହାସଲ କରିହୁଏ ବୋଲି ତାଙ୍କର ଏହି ସଫଳତା ପ୍ରମାଣ କରିଛି।