ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟାରେ ଅସାଧୁ ଉପାୟ କିମ୍ବା ବଳପ୍ରୟୋଗକୁ କଦାପି ବରଦାସ୍ତ କରାଯିବ ନାହିଁ। ଯଦି ନିରପେକ୍ଷ ନିର୍ବାଚନକୁ କୌଣସି ବେଆଇନ ଉପାୟରେ କଳୁଷିତ କରିବାକୁ ଚେଷ୍ଟା କରାଯାଏ, ତେବେ କୋର୍ଟ ନୀରବଦ୍ରଷ୍ଟା ହୋଇ ରହିବେ ନାହିଁ। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଅସାମ୍ବିଧାନିକ କାର୍ଯ୍ୟକଳାପ ରୋକିବା ପାଇଁ ଅଦାଲତର ହାତ ବନ୍ଧା ପଡ଼ିନାହିଁ।
ଆନ୍ଧ୍ରପ୍ରଦେଶର ପୌର ନିର୍ବାଚନରେ ହିଂସା ଏବଂ ନାମାଙ୍କନ ଭରଣରେ ବାଧାସୃଷ୍ଟି ଅଭିଯୋଗକୁ ନେଇ ଆଗତ ୟୁଭାଇଏସଆର କଂଗ୍ରେସ ପାର୍ଟି (YSRCP)ର ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରାର୍ଥୀମାନଙ୍କୁ ନାମାଙ୍କନ ପତ୍ର ଦାଖଲ କରିବାରୁ ରୋକାଯାଉଥିବା ନେଇ ଦାଖଲ ହୋଇଥିବା ଭିଡିଓ ଏବଂ ତଥ୍ୟକୁ ଆଧାର କରି ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି. ମୋହନାଙ୍କ ପୀଠ ଏହି ମହତ୍ତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।
ଶୁଣାଣି ସମୟରେ ପୀଠ କହିଛନ୍ତି ଯେ ସାଧାରଣତଃ ନିର୍ବାଚନ ପ୍ରକ୍ରିୟାରେ ସମ୍ବିଧାନିକ କୋର୍ଟଗୁଡ଼ିକ ସିଧାସଳଖ ହସ୍ତକ୍ଷେପ କରନ୍ତି ନାହିଁ, ଯାହାଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ବାଚନ ଶେଷ ହୋଇପାରିବ। ମାତ୍ର ଯେତେବେଳେ ଗଣତନ୍ତ୍ରର ମୂଳଦୁଆ ଏବଂ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ପ୍ରତି ବିପଦ ସୃଷ୍ଟି ହୁଏ, ସେତେବେଳେ କୋର୍ଟ ଆଖିବୁଜି ରହିପାରିବେ ନାହିଁ। "ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ହେଉଛି ସମ୍ବିଧାନର ମୂଳ ଢାଞ୍ଚା" ବୋଲି ସର୍ବୋଚ୍ଚ ଅଦାଲତ ଦୋହରାଇଛନ୍ତି।
କୋର୍ଟ ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗ (SEC)କୁ ନିର୍ଦ୍ଦେଶ ଦେଇଛନ୍ତି ଯେ YSRCP ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଏବଂ ନାମାଙ୍କନ ସମୟସୀମା ବୃଦ୍ଧି ନିବେଦନ ଉପରେ ତୁରନ୍ତ ବିଚାର କରାଯାଉ। ଏହାସହ ଅକ୍ଟୋବର ୨୧ ତାରିଖରେ ପ୍ରକାଶ ପାଇବାକୁ ଥିବା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶନକୁ ଅକ୍ଟୋବର ୨୩ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କୋର୍ଟ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ଏହି ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା YSRCP, ମାତ୍ର ହାଇକୋର୍ଟ ସୁରକ୍ଷାମୂଳକ ପଦକ୍ଷେପ କିମ୍ବା ସମୟସୀମା ବୃଦ୍ଧି କରିବାକୁ ମନା କରିଦେଇଥିଲେ। ଏହାପରେ ଦଳ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲା। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଏବେ ରାଜ୍ୟ ନିର୍ବାଚନ ଆୟୋଗକୁ ବିରୋଧୀ ଦଳର ଆବେଦନ ଉପରେ ପୁନର୍ବାର ବିଚାର କରିବାକୁ ପଡ଼ିବ।