ନୂଆଦିଲ୍ଲୀ:ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଦିଲ୍ଲୀର ସ୍ୱେଶାଲ ଏଜିକ୍ୟୁଟିଭ ମ୍ୟାଜିଷ୍ଟ୍ରେଟ (SEM) ଅଦାଲତ ଦୁହିଁଙ୍କ ଜାମିନ ମଞ୍ଜୁର କରିଛନ୍ତି। ପୋଲିସର ରିମାଣ୍ଡ ଅବଧି ବୃଦ୍ଧି ଆବେଦନକୁ ଖାରଜ କରି କୋର୍ଟ ୫୦-୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକା ଓ ଜାମିନଦାରଙ୍କ ବଣ୍ଡ୍ ଭିତ୍ତିରେ ସେମାନଙ୍କୁ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୩ ତାରିଖରେ ଅନୁଷ୍ଠିତ ହେବ।
ଗତ ଅକ୍ଟୋବର ୧୪ ତାରିଖରେ ଦୁହିଁଙ୍କୁ ୫ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଯାଇଥିଲା। ପରେ ଏହି ଅବଧିକୁ ଆଉ ୨ ଦିନ ବଢ଼ାଯାଇ ଅକ୍ଟୋବର ୨୧ ଯାଏଁ ରଖାଯାଇଥିଲା। ବୁଧବାର ହାଜତ ମିଆଦ ଶେଷ ହେବା ପରେ, ତଦନ୍ତକାରୀ ଅଫିସର ପୁଣି ୩ ଦିନ ହାଜତ ଅବଧି ବଢ଼ାଇବାକୁ କୋର୍ଟଙ୍କ ନିକଟରେ ଅନୁରୋଧ କରିଥିଲେ। ଦୁହିଁଙ୍କ ବ୍ୟବହାର, ଗଣମାଧ୍ୟମ ଓ କୋର୍ଟରେ ଦେଇଥିବା ବୟାନରେ ପାର୍ଥକ୍ୟ ରହିଥିବାରୁ ଶାନ୍ତି ଓ ଆଇନ ଶୃଙ୍ଖଳା ବିପନ୍ନ ହେବାର ଆଶଙ୍କା ଥିବା ପୋଲିସ ଦର୍ଶାଇଥିଲା।
ଶୁଣାଣି ସମୟରେ, ତିହାଡ଼ ଜେଲ୍ ନିଆଯାଉଥିବା ବେଳେ ଗଣମାଧ୍ୟମକୁ ଦିଆଯାଇଥିବା ବୟାନକୁ ନେଇ ଚର୍ଚ୍ଚା ହୋଇଥିଲା। ଏହି ବୟାନ ଅଦାଲତର ଗରିମା ପ୍ରତି ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଥିବାରୁ, ଦୁହିଁଙ୍କ ପକ୍ଷରୁ କୋର୍ଟଙ୍କ ନିକଟରେ ବିନା ସର୍ତ୍ତରେ ମୌଖିକ କ୍ଷମା ପ୍ରାର୍ଥନା କରାଯାଇଥିଲା।
ଏହା ସହିତ ସୌରଭ ଓ ଆଶୁତୋଷ କୋର୍ଟରେ ସ୍ୱେଚ୍ଛାକୃତ ଭାବେ କିଛି ଗୁରୁତ୍ୱପୂର୍ଣ୍ଣ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ସେମାନେ ଶାନ୍ତି ଭଙ୍ଗ ହେବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ ଏବଂ ଦେଶର ନ୍ୟାୟପାଳିକା ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ଆସ୍ଥା ରହିଛି ବୋଲି କହିଛନ୍ତି। ସେହିପରି, ଜନ୍ତର-ମନ୍ତରକୁ ଆଇନଗତ ପ୍ରକ୍ରିୟାରେ ଅଧିସୂଚିତ ତାଲିକାରୁ ନହଟାଯିବା ପର୍ଯ୍ୟନ୍ତ ସେଠାରେ କୌଣସି ବିକ୍ଷୋଭ ପାଇଁ ଆହ୍ୱାନ ଦେବେ ନାହିଁ ଏବଂ ଭବିଷ୍ୟତରେ ହେବାକୁ ଥିବା ସମସ୍ତ ଆନ୍ଦୋଳନ ସମ୍ବିଧାନର ସୀମା ଭିତରେ ରହି କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ଦୁହିଁଙ୍କୁ ଆଉ ଜେଲରେ ରଖିବା ଆବଶ୍ୟକ ନୁହେଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୩୫(୩) ଅନୁସାରେ ନିବାରକ କାର୍ଯ୍ୟାନୁଷ୍ଠାନର ଲକ୍ଷ୍ୟ ଏହି ବଣ୍ଡ୍ ଓ ଲିଖିତ ପ୍ରତିଶ୍ରୁତି ମାଧ୍ୟମରେ ପୂରଣ ହୋଇପାରିବ ବୋଲି କୋର୍ଟ ମତ ଦେଇଛନ୍ତି। ଜାମିନଦାରଙ୍କ କାଗଜପତ୍ର ଯାଞ୍ଚ ପରେ ତିହାଡ଼ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଖକୁ ରିଲିଜ୍ ୱାରେଣ୍ଟ ପଠାଯାଇଛି। ତେବେ ଖଲାସ କରିବା ସହ କୋର୍ଟ କିଛି କଡ଼ା ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି।
ନିର୍ଦ୍ଦେଶ ଅନୁଯାୟୀ, ତଦନ୍ତକାରୀ ଅଫିସର ଆସନ୍ତା ଶୁଣାଣି ସୁଦ୍ଧା ଜାମିନଦାରଙ୍କ ସତ୍ୟାପନ ରିପୋର୍ଟ ଦାଖଲ କରିବେ। ଏହାସହ ଦୁଇ ଅଭିଯୁକ୍ତ ଏବଂ ସେମାନଙ୍କ ଜାମିନଦାରଙ୍କୁ ପ୍ରତ୍ୟେକ ଶୁଣାଣିରେ ଅଦାଲତରେ ଉପସ୍ଥିତ ରହିବାକୁ ପଡ଼ିବ। ଉଭୟଙ୍କୁ ସର୍ବଦା ଆଇନ ଶୃଙ୍ଖଳା ବଜାୟ ରଖିବାକୁ ହେବ ଏବଂ କୋର୍ଟରେ ଦିଆଯାଇଥିବା ସମସ୍ତ ଲିଖିତ ଆଶ୍ୱାସନାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ।