ନୂଆଦିଲ୍ଲୀ: ଦେଶରେ ଏସଆଇଆର୍ ପ୍ରସଙ୍ଗକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଥିବା ବେଳେ ଏବେ ନିର୍ବାଚନ ଆୟୋଗ ଭିତରର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ କମିଶନର (CEC) ଙ୍କୁ ସମ୍ପୂର୍ଣ୍ଣ ଏଡ଼ାଇ ଦେଇ ଦୁଇଜଣ ନିର୍ବାଚନ ଆୟୁକ୍ତ ସିଧାସଳଖ କ୍ୟାବିନେଟ୍ ସଚିବଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଥିଲେ। ଏକ ଆରଟିଆଇ ଜବାବରୁ ଏହି ରହସ୍ୟ ଉନ୍ମୋଚିତ ହୋଇଛି, ଯାହାକି ଏବେ ଦେଶର ରାଜନୈତିକ କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି।
ଆରଟିଆଇ ରିପୋର୍ଟରୁ କ’ଣ ସାମ୍ନାକୁ ଆସିଲା ?
ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ମାସରେ ଦାଖଲ ହୋଇଥିବା ଏକ ଆରଟିଆଇ ଆବେଦନର ଜବାବରେ କ୍ୟାବିନେଟ୍ ସଚିବାଳୟ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ରିପୋର୍ଟ ମୁତାବକ, ନିର୍ବାଚନ ଆୟୋଗର ଦିନଜଣ ଆୟୁକ୍ତ ସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଜୋଶୀ ଗତ ଜୁଲାଇ ୨୯ ତାରିଖରେ ଏକ ବିବାଦୀୟ କାର୍ଯ୍ୟବଣ୍ଟନ ଆଦେଶକୁ ନେଇ ସିଧାସଳଖ କ୍ୟାବିନେଟ୍ ସଚିବଙ୍କ ନିକଟକୁ ପତ୍ର ପଠାଇଥିଲେ। କ୍ୟାବିନେଟ୍ ସଚିବାଳୟ ଏହାକୁ ଜୁଲାଇ ୩୦ରେ ଲଗ୍ କରିବା ପରେ ଅଗଷ୍ଟ ୫ ଭିତରେ ଏହାକୁ ଡିଓପିଟି (DoPT) ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଥିଲା।
ଏହି ଚିଠିରେ ମୋଟ ୧୪ ପୃଷ୍ଠାର ଦସ୍ତାବେଜ୍ ରହିଛି, ଯେଉଁଥିରେ ଆୟୁକ୍ତଙ୍କ ୧୦ ପୃଷ୍ଠାର ପତ୍ର, ଦୁଇ ପୃଷ୍ଠାର ଜବାବ ଏବଂ ଦୁଇ ପୃଷ୍ଠାର ଫାଇଲ୍ ନୋଟିଂ ସାମିଲ ରହିଛି।
ପ୍ରକୃତ ବିବାଦ କ’ଣ ଥିଲା ?
ସୂତ୍ରରୁ ପ୍ରକାଶ ଯେ, ଗତ ଜୁଲାଇ ୨୮ ତାରିଖରେ ଜାରି ହୋଇଥିବା ଏକ କାର୍ଯ୍ୟବଣ୍ଟନ ଆଦେଶକୁ ନେଇ ଦୁଇ କମିଶନର କ୍ଷୁବ୍ଧ ଥିଲେ। ସେମାନଙ୍କ ଅଭିଯୋଗ ଥିଲା ଯେ ଏହି ଆଦେଶ ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ କରି କରାଯାଇଛି। ଏହି ପରିବର୍ତ୍ତନଗଡ଼ିକ ଦ୍ୱାରା ଭୋଟର ତାଲିକା ପରିଚାଳନା କରୁଥିବା ଆଇଟି ସିଷ୍ଟମ ଉପରୁ ପ୍ରଶାସନିକ ନଜରଦାରିର ଏକ ସ୍ତର ହଟିଯାଇଥିଲା। ସବୁଠୁ ବଡ଼ କଥା ହେଲା, ଏହି ପରିବର୍ତ୍ତନଗୁଡ଼ିକ ସେମାନଙ୍କ ଅଜାଣତରେ ଏବଂ ବିନା ସମ୍ମତିରେ କରାଯାଇଥିଲା ବୋଲି ସେମାନେ ଦର୍ଶାଇଥିଲେ। ପରେ ଏହି ବିବାଦୀୟ ଆଦେଶକୁ ରଦ୍ଦ ମଧ୍ୟ କରାଯାଇଥିଲା।
ନିର୍ବାଚନ ଆୟୋଗର ସ୍ପଷ୍ଟୀକରଣ
ଏହି ପ୍ରସଙ୍ଗରେ ପୂର୍ବରୁ ନିର୍ବାଚନ ଆୟୋଗ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଥିଲେ ଯେ କ୍ୟାବିନେଟ୍ ସଚିବଙ୍କୁ ଲିଖିତ ପତ୍ରଟି କୌଣସି ପ୍ରମୁଖ ନୀତିଗତ କିମ୍ବା ଆଇଟି ବିଭାଗ ସହ ଜଡ଼ିତ ନଥିଲା, ବରଂ ଏହା ଆୟୋଗରେ ଥିବା ଜଣେ ଡେପୁଟେସନ୍ ଅଧିକାରୀଙ୍କ କାର୍ଯ୍ୟବଣ୍ଟନ ସହ ସମ୍ପୃକ୍ତ ଥିଲା।
ତଥାପି, ମୁଖ୍ୟ ନିର୍ବାଚନ କମିଶନରଙ୍କ ଭଳି ସର୍ବୋଚ୍ଚ ପଦବୀକୁ ବାଏପାସ୍ କରି ଦୁଇଜଣ ଆୟୁକ୍ତ ସିଧାସଳଖ କ୍ୟାବିନେଟ୍ ସଚିବଙ୍କ ଦ୍ୱାରସ୍ଥ ହେବା ଘଟଣା ଏବେ ପ୍ରଶାସନିକ ଏବଂ ରାଜନୈତିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।