ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟର ପ୍ରଦର୍ଶନ ଏବଂ ‘ରିଜିମ୍ ଚେଞ୍ଜ୍’ ରାଜନୈତିକ ବୟାନବାଜିକୁ ନେଇ କଡ଼ା ପଲ୍ଟାବ୍ୟାକ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସମଗ୍ର ବିଶ୍ୱ ଯେତେବେଳେ ଏକ ନୂତନ ବିଶ୍ୱ ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଛି, ସେତେବେଳେ ଦେଶ ଭାତର କିଛି ଲୋକ କେବଳ ଅବ୍ୟବସ୍ଥା ଏବଂ ଅସ୍ଥିରତାର ସ୍ୱପ୍ନ ଦେଖୁଛନ୍ତି।
ବିଶ୍ୱ ଦରବାରରେ ଭାରତର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବା ପାଇଁ କିଛି ଲୋକ ଜାଣିଶୁଣି ପ୍ରୟାସ କରୁଥିବା ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସମଗ୍ର ବିଶ୍ୱରେ ବିଭିନ୍ନ ଅସ୍ଥିରତା ମଧ୍ୟରେ ଏକ ଶକ୍ତିଶାଳୀ ଏବଂ ସ୍ଥିର ଭାରତର ଚିତ୍ର ବିଶ୍ୱବାସୀ ଦେଖିବାକୁ ପାଉଛନ୍ତି। ମାତ୍ର କିଛି ରାଜନୈତିକ ବ୍ୟକ୍ତି ବିଦେଶରେ ଯାଇ ଭାରତକୁ ବଦନାମ କରିବା ସହ ଆଭ୍ୟନ୍ତରୀଣ ବ୍ୟାପାରରେ ବାହାର ଶକ୍ତିଙ୍କ ହସ୍ତକ୍ଷେପ ପାଇଁ ନବେଦନ କରୁଛନ୍ତି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ।
ଏହି ସମୟରେ ବିନା ନାମ ନେଇ କଂଗ୍ରେସ ନେତୃତ୍ୱ ଏବଂ ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। କଂଗ୍ରେସ ଦଳକୁ ଏକ ‘ପରଜୀବୀ’ (Parasite) ବୋଲି ଆଖ୍ୟା ଦେଇ ସେ କହିଛନ୍ତି ଯେ, ଜାଣିଶୁଣି ବାରମ୍ବାର ବିଫଳ ହେଉଥିବା ଜଣେ ନେତାଙ୍କୁ ଲଞ୍ଚ୍ କରିବା ପାଇଁ ଦଳ କେତେଦିନ ଦେଶର ଭବିଷ୍ୟତକୁ ବାଜି ଲଗାଉଥିବ। ଶ୍ରୀହରିକୋଟାରୁ ବର୍ଷସାରା ଏତେ ରକେଟ୍ ଲଞ୍ଚ୍ ହୁଏ ନାହିଁ, ଯେତିକି ବର୍ଷସାରା କଂଗ୍ରେସ ନିଜର ନେତାଙ୍କୁ ଲଞ୍ଚ୍ କରିବାରେ ବିଫଳ ପ୍ରୟାସ କରିଥାଏ ବୋଲି ସେ କଟାକ୍ଷ କରିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସର ଏହି ପରିବାର କେନ୍ଦ୍ରିତ ରାଜନୀତି ଆଜି ସେମାନଙ୍କ ନିଜ ଦଳ ପାଇଁ ଏକ ବୋଧ ହୋଇପଡ଼ିଛି। ପରିବାରର ଲଗାତାର ବିଫଳତାକୁ ଲୁଚାଇବା ପାଇଁ ବର୍ତ୍ତମାନ କଂଗ୍ରେସ ଦଳ ଦେଶର ଅଗ୍ରଗତି, ବିକାଶ ଏବଂ ସଫଳତାକୁ ମଧ୍ୟ ପ୍ରଶ୍ନ କରୁଛି। ଦଳର ବରିଷ୍ଠ ନେତାମାନେ ଏହା ସବୁ ବୁଝିଥିଲେ ମଧ୍ୟ ନିଜର ମତ ପ୍ରକାଶ କରିବାକୁ ସକ୍ଷମ ନୁହଁନ୍ତି। ଏହାର କାରଣରୁ ଦେଶରେ ସରକାରଙ୍କ ବିରୋଧରେ ଯେଉଁ ସଠିକ୍ ଏବଂ ସଚ୍ଚୋଟ ସମାଲୋଚନା ହେବା କଥା, ତାହା କଂଗ୍ରେସର ଅଧିକ ହଟ୍ଟଗୋଳ ଓ ଚିତ୍କାର ମଧ୍ୟରେ ଚାପି ହୋଇଯାଉଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।