ଲକ୍ଷ୍ନୌ:ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଶିବା ଶର୍ମା ମୃତ୍ୟୁ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଚର୍ଚ୍ଚିତ ଅଭିଯୁକ୍ତ ଶ୍ରଦ୍ଧା ଦୁବେ, ତାଙ୍କ ଭଉଣୀ ରଶ୍ମି ଦୁବେ ଏବଂ ଡ୍ରାଇଭର ଦାନିଶଙ୍କୁ ପୋଲିସ ଦୀର୍ଘ ୫ ଘଣ୍ଟା ଧରି କଡ଼ା ଜେରା କରିଛି। ପୋଲିସର ପଚରାଉଚରା ପରେ ତିନିଜଣଙ୍କର ସିଭିଲ୍ ହସ୍ପିଟାଲ୍ରେ ମେଡିକାଲ୍ ଯାଞ୍ଚ କରାଯାଇ କୋର୍ଟରେ ହାଜର କରାଯାଇଥିଲା। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅଦାଲତ ତିନିଜଣ ଅଭିଯୁକ୍ତଙ୍କୁ ୧୦ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ଜେରା ସମୟରେ ପୋଲିସ ଟିମ୍ ଶ୍ରଦ୍ଧାଙ୍କୁ ୨୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଥିଲା, ମାତ୍ର ସେ ଅଧିକାଂଶ ପ୍ରଶ୍ନରେ ନୀରବତା ଅବଲମ୍ବନ କରିଥିଲେ। ପୋଲିସର ପ୍ରତ୍ୟେକ ପ୍ରଶ୍ନର ଉତ୍ତରରେ ଶ୍ରଦ୍ଧା କେବଳ ଗୋଟିଏ କଥା ଦୋହରାଇଥିଲେ, "ମୋ ଓକିଲଙ୍କ ସହ କଥା ହୁଅନ୍ତୁ"। ସେ ବାରମ୍ବାର ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲେ ମଧ୍ୟ ଘଟଣା ସମ୍ପର୍କିତ କୌଣସି ସ୍ପଷ୍ଟ ଉତ୍ତର ଦେଇନଥିଲେ।
ଅକ୍ଟୋବର ୯ ତାରିଖ ସନ୍ଧ୍ୟାରେ ଫ୍ଲାଟ୍ରେ କ’ଣ ଘଟିଥିଲା ଏବଂ ଘଟଣା ସମୟରେ ସେଠାରେ କେଉଁମାନେ ଉପସ୍ଥିତ ଥିଲେ, ସେ ନେଇ ପୋଲିସ ଖୋଳତାଡ଼ କରିଥିଲା। ଏହା ସହିତ ଘଟଣା ପରେ ଶ୍ରଦ୍ଧା କିପରି ନେପାଳ ଫେରାର୍ ହେଲେ ଏବଂ ପୁଣି ଲକ୍ଷ୍ନୌ ଫେରିବାର ପୁରା ରୁଟ୍ ସମ୍ପର୍କରେ ଜାଣିବାକୁ ଚାହିଁଥିଲା ତଦନ୍ତକାରୀ ଟିମ୍। ମାତ୍ର ଶ୍ରଦ୍ଧା, ରଶ୍ମି ଓ ଦାନିଶ ତିନିହେଁ ଏହି ସବୁ ପ୍ରଶ୍ନରେ ସମ୍ପୂର୍ଣ୍ଣ ଚୁପ୍ ରହିଥିଲେ।
ତଦନ୍ତ ବେଳେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୫ଟି ମୋବାଇଲ୍ ଫୋନ୍, ଗୋଟିଏ ଏଟିଏମ୍ କାର୍ଡ ଏବଂ କିଛି ନଗଦ ଟଙ୍କା ଜବତ କରିଛି। କୌଣସି ଡିଜିଟାଲ୍ ଟ୍ରାନ୍ସଫର କିମ୍ବା ଏଟିଏମ୍ ବ୍ୟବହାର ନକରି ଏତେ ନଗଦ ଟଙ୍କା କାହୁଁ ଆସିଲା ବୋଲି ପୋଲିସ ପଚାରିଥିଲେ ବି ଶ୍ରଦ୍ଧା କୌଣସି ଉତ୍ତର ଦେଇନଥିଲେ। ବର୍ତ୍ତମାନ ପୋଲିସ ଜବତ ହୋଇଥିବା ମୋବାଇଲ୍ଗୁଡ଼ିକର ଡିଜିଟାଲ୍ ପ୍ରମାଣ ଆଧାରରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ପଦାକୁ ଆଣିବାକୁ ଚେଷ୍ଟା ଚଳାଇଛି।
ଅଦାଲତରେ ଶୁଣାଣି ସମୟରେ ଶ୍ରଦ୍ଧା ଦୁବେ ମୁଣ୍ଡ ନୁଆଁଇ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। କୋର୍ଟ ୧୦ ଦିନିଆ ଜେଲ୍ ହାଜତ ଆଦେଶ ଶୁଣାଇବା ସମୟରେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ବର୍ତ୍ତମାନ ପୋଲିସ ଜବତ ସାମଗ୍ରୀ ଓ ଡିଜିଟାଲ୍ ତଥ୍ୟକୁ ଆଧାର କରି ଶିବା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁର ଆଗ୍ରହଜନକ ମୋଡ଼ଗୁଡ଼ିକର ତଦନ୍ତ ଆଗକୁ ବଢ଼ାଉଛି।