ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତେବେ ଏଥର ଚର୍ଚ୍ଚାର କାରଣ କ୍ରିକେଟ୍ ପଡ଼ିଆ ନୁହେଁ, ବରଂ ଏକ ଆଇନଗତ ବିବାଦ। ସିନେମାହଲ୍ରେ ଆଜି ରିଲିଜ୍ ହେବାକୁ ଥିବା ଫିଲ୍ମ ‘ଦୂସରା’ର ମୁକ୍ତିଲାଭ ଉପରେ ରୋକ୍ ଲଗାଇବା ପାଇଁ ଗାଙ୍ଗୁଲି ଦାଖଲ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ଗାଙ୍ଗୁଲିଙ୍କୁ ଏକ ବଡ଼ ଝଟ୍କା ଲାଗିଛି।
ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଅବକାଶକାଳୀନ ପୀଠର ବିଚାରପତି ନାୟମୂର୍ତ୍ତି ଦିନେଶ ଭଟ୍ଟ ମୌଖିକ ଭାବେ କହିଛନ୍ତି ଯେ, ଏହି ମାମଲାରେ ‘ସୁବିଧାର ସନ୍ତୁଳନ’ ଫିଲ୍ମ ନିର୍ମାତାଙ୍କ ପକ୍ଷରେ ରହିଛି। ପ୍ରଥମ ଆବେଦନକାରୀଙ୍କ ପକ୍ଷରେ ସୁବିଧାର ସନ୍ତୁଳନ ନଥିବାରୁ ଏବଂ ଫିଲ୍ମଟି ତୁରନ୍ତ ରିଲିଜ୍ ହେବାକୁ ଯାଉଥିବାରୁ ଏହି ପର୍ଯ୍ୟାୟରେ ଫିଲ୍ମର ପ୍ରଦର୍ଶନ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୌରଭ ଗାଙ୍ଗୁଲିଙ୍କ ସମେତ ତାଙ୍କ ଜୀବନୀ ଉପରେ ଆଧାରିତ ଅଫିସିଆଲ୍ ବାୟୋପିକ୍ ନିର୍ମାଣ କରୁଥିବା କମ୍ପାନୀ ‘ଲଭ୍ ଫିଲ୍ମସ ଏଲଏଲପି’ ମଧ୍ୟ ଏହି ମାମଲାରେ ଆବେଦନକାରୀ ରହିଛି। ଗାଙ୍ଗୁଲିଙ୍କ ଓକିଲ ଆଶଙ୍କା ପ୍ରକାଶ କରିଥିଲେ ଯେ, ‘ଦୂସରା’ ଫିଲ୍ମ ନିର୍ମାଣ ପାଇଁ ଗାଙ୍ଗୁଲିଙ୍କଠାରୁ କୌଣସି ଅନୁମତି ନିଆଯାଇ ନାହିଁ, ଯାହା ତାଙ୍କର "ବ୍ୟକ୍ତିଗତ ଅଧିକାର"ର ଉଲ୍ଲଂଘନ କରୁଛି।
ଅପରପକ୍ଷରେ, ଫିଲ୍ମ ‘ଦୂସରା’ର ନିର୍ମାତାଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଦାଲତଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଏହି ସିନେମାଟି ସୌରଭ ଗାଙ୍ଗୁଲିଙ୍କ ଜୀବନୀ ବା ବାୟୋପିକ୍ ନୁହେଁ। ଗାଙ୍ଗୁଲିଙ୍କ ସହ ଜଡ଼ିତ କିଛି ପୁରୁଣା ଭିଡିଓ କ୍ଲିପ୍ ବ୍ୟବହାର କରିବା ପାଇଁ ଯାହା ଆବଶ୍ୟକୀୟ ଆଇନଗତ ଅନୁମତି ରହିବା କଥା, ତାହା ପୂର୍ବରୁ ହାସଲ କରାଯାଇସାରିଛି।
ସୂଚନାଯୋଗ୍ୟ ଯେ, ‘ଦୂସରା’ ଫିଲ୍ମଟି ରାଜସ୍ଥାନର ଜଣେ ମଧ୍ୟବିତ୍ତ ପରିବାରର ଝିଅର କାହାଣୀ ଉପରେ ଆଧାରିତ, ଯିଏ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ କିଛି ଐତିହାସିକ କ୍ରିକେଟ୍ ମ୍ୟାଚ୍ରୁ ପ୍ରେରଣା ପାଇ କ୍ରିକେଟ୍ ଜଗତରେ ପାଦ ଥାପିଥାଏ। ଅଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଶୁକ୍ରବାର ଦିନ ଧାର୍ଯ୍ୟ କରିଛନ୍ତି।