ରାୱଲପିଣ୍ଡି: ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଏକ ନୂତନ ଏବଂ ଅବିଶ୍ୱସନୀୟ ଫର୍ଦ୍ଦ ଯୋଡ଼ିଛି ଶ୍ରୀଲଙ୍କା। ଇଂଲଣ୍ଡ ବିପକ୍ଷ ଟ୍ରାଇ-ସିରିଜ୍ର ତୃତୀୟ ଦିନିକିଆ ମ୍ୟାଚ୍ରେ ଶ୍ରୀଲଙ୍କା ୪୩୦ ରନ୍ର ଏକ ବିଶାଳ ଲକ୍ଷ୍ୟ ପିଛା କରି ଐତିହାସିକ ବିଜୟ ହାସଲ କରିଛି। ଦିନିକିଆ କ୍ରିକେଟ୍ ଇତିହାସରେ ଶ୍ରୀଲଙ୍କା ପାଇଁ ଏହା ସବୁଠାରୁ ବଡ଼ ସଫଳ ରନ୍-ଚେଜ୍ ହୋଇଥିବା ବେଳେ ସମଗ୍ର ବିଶ୍ୱ କ୍ରିକେଟ୍ରେ ଏହା ଦ୍ୱିତୀୟ ସର୍ବବୃହତ ରନ୍-ଚେଜ୍ ସାବ୍ୟସ୍ତ ହୋଇଛି।
ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୪୨୯ ରନ୍ର ପାହାଡ଼ ସଦୃଶ ସ୍କୋର ଛିଡ଼ା କରିଥିଲା। ଇଂଲଣ୍ଡ ଅଧିନାୟକ ହ୍ୟାରୀ ବ୍ରୁକ୍ ମାତ୍ର ୧୧୬ଟି ବଲ୍ରୁ ୨୦୨ ରନ୍ର ଦ୍ୱିଶତକୀୟ ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଚକିତ କରିଦେଇଥିଲେ। ହେଲେ ଇଂଲଣ୍ଡର ଏହି ବିଶାଳ ସ୍କୋର ମଧ୍ୟ ଶ୍ରୀଲଙ୍କାର ବିଜୟ ରଥକୁ ଅଟକାଇବାରେ ବିଫଳ ହୋଇଥିଲା।
୪୩୦ ରନ୍ର ସଙ୍କଟଜନକ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଶ୍ରୀଲଙ୍କା ଦଳର ବ୍ୟାଟରମାନେ ଅସାଧାରଣ ଧୈର୍ଯ୍ୟ ଓ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ଦଳ ପାଇଁ ପବନ ରତ୍ନାୟକେ ୧୩୦ ରନ୍ର ଶତକୀୟ ଇନିଂସ ଖେଳିଥିବା ବେଳେ ଦସୁନ୍ ଶାନାକା ଏବଂ ଅବିଷ୍କା ଫର୍ଣ୍ଣାଣ୍ଡୋ ଉଭୟ ୯୭-୯୭ ରନ୍ର ମୂଲ୍ୟବାନ ଯୋଗଦାନ ଦେଇଥିଲେ। ଏହି ତିନି ବ୍ୟାଟରଙ୍କ ଦମଦାର ବ୍ୟାଟିଂ ବଳରେ ଶ୍ରୀଲଙ୍କା ମ୍ୟାଚ୍ରେ ଶେଷ ପର୍ଯ୍ୟନ୍ତ ନିଜର ଦବ୍ଦବା ବଜାୟ ରଖିଥିଲା।
ମ୍ୟାଚ୍ର ଶେଷ ଓଭରରେ ନାଟକୀୟ ମୋଡ଼ ଆସିଥିଲା। ଶ୍ରୀଲଙ୍କାକୁ ଜିତିବା ପାଇଁ ଶେଷ ୨ଟି ବଲ୍ରେ ୬ ରନ୍ର ଆବଶ୍ୟକତା ଥିଲା ଏବଂ ଦଳର ୮ଟି ୱିକେଟ୍ ପତନ ହୋଇସାରିଥିଲା। ଇଂଲଣ୍ଡ ବୋଲର ଯୋଶ ଟଙ୍ଗ୍ ଶେଷ ଓଭରର ପ୍ରଥମ ୪ଟି ବଲ୍ରେ ମାତ୍ର ୨ ରନ୍ ଦେଇ ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହାସଲ କରିଥିଲେ। ତେବେ ଷ୍ଟ୍ରାଇକ୍ ପାଇବା ମାତ୍ରେ ଜନିଥ୍ ଲିୟାନାଗେ (୬୧* ରନ୍) ପଞ୍ଚମ ବଲ୍ରେ ବିଶାଳ ଛକା ମାରି ୪୯.୫ ଓଭରରେ ଶ୍ରୀଲଙ୍କାକୁ ଏକ ଐତିହାସିକ ଓ ଅବିଶ୍ୱସନୀୟ ବିଜୟ ଦେଇଥିଲେ।
ଦିନିକିଆ କ୍ରିକେଟ୍ ଇତିହାସରେ ଏହା ଦ୍ୱିତୀୟ ସର୍ବବୃହତ ସଫଳ ରନ୍-ଚେଜ୍। ଏହାପୂର୍ବରୁ ୨୦୦୬ ମସିହାରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ବିପକ୍ଷରେ ୪୩୫ ରନ୍ର ଲକ୍ଷ୍ୟ ହାସଲ କରି ବିଶ୍ୱ ରେକର୍ଡ ରଚିଥିଲା। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଏହା ଦିନିକିଆର ସବୁଠାରୁ ବଡ଼ ରନ୍-ଚେଜ୍ ହୋଇଥିବା ବେଳେ ୨୦୨୬ ବର୍ଷରେ ହିଁ ଦ୍ୱିତୀୟ ଥର ପାଇଁ ୪୦୦ରୁ ଅଧିକ ରନ୍ର ସଫଳ ରନ୍-ଚେଜ୍ ଦେଖିବାକୁ ମିଳିଛି।