ମୁମ୍ବାଇ: ବଡ଼ ପରଦାକୁ ଆସିବାକୁ ଯାଉଛି ଭାରତୀୟ ସିନେମାର ସବୁଠାରୁ ଚର୍ଚ୍ଚିତ ପ୍ରୋଜେକ୍ଟ ମଧ୍ୟରୁ ଗୋଟିଏ ‘ରାମାୟଣ’। ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ମେଗା ବଜେଟ୍ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ଏବେ ଆକାଶଛୁଆଁ। ପ୍ରାୟ ୪୦୦୦ କୋଟି ଟଙ୍କାର ବଜେଟ୍ରେ ନିର୍ମିତ ଏହି ଫିଲ୍ମରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ୟଶଙ୍କୁ ଦେଖିବାକୁ ମିଳିବ ଲଙ୍କାପତି ରାବଣଙ୍କ ଭୂମିକାରେ।
ଫିଲ୍ମରେ ୟଶଙ୍କ ଲୁକ୍ ଓ ଚରିତ୍ରକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର୍ ଧରିଛି। ନିକଟରେ ଫିଲ୍ମ ସମ୍ପର୍କରେ ନିଜର ମତ ରଖି ୟଶ କହିଛନ୍ତି, ଏବେ ସମୟ ଆସିଛି ସାରା ବିଶ୍ୱକୁ ଭାରତୀୟ ସିନେମାର ପ୍ରକୃତ ଶକ୍ତି ଦେଖାଇବାର।
ରାବଣଙ୍କ ଚରିତ୍ରକୁ ନେଇ କ'ଣ କହିଲେ ୟଶ?
ୟଶଙ୍କ କହିବା ଅନୁସାରେ, ରାମାୟଣର ବ୍ୟାଖ୍ୟା ଭାରତର ପ୍ରତ୍ୟେକ ରାଜ୍ୟ ଓ ଭାଷାରେ ଭିନ୍ନ ଭିନ୍ନ ଭାବରେ ହୋଇଥାଏ। ଆମ ସଂସ୍କୃତିର ବିଶେଷତ୍ୱ ହେଉଛି, ପ୍ରତ୍ୟେକ ବ୍ୟକ୍ତି ନିଜ ଦୃଷ୍ଟିକୋଣରୁ କାହାଣୀକୁ ଦେଖିଥାଏ। ଏହି ଫିଲ୍ମରେ ରାବଣଙ୍କ ଦୃଷ୍ଟିକୋଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ୟଶଙ୍କ ମତରେ, ରାବଣ ଜଣେ ମହାନ ଜ୍ଞାନୀ, ସଙ୍ଗୀତଜ୍ଞ ଓ ଯୋଦ୍ଧା ଥିଲେ। କିନ୍ତୁ ଏତେ ଗୁଣର ଅଧିକାରୀ ହୋଇ ମଧ୍ୟ ତାଙ୍କର କିଛି ନିଷ୍ପତ୍ତି ତାଙ୍କ ଜୀବନକୁ ଭୁଲ୍ ଦିଗରେ ନେଇଯାଇଥିଲା। ଏହି ଦୁଇଟି ଦିଗକୁ ଫିଲ୍ମରେ ସୁନ୍ଦର ଭାବେ ଦେଖାଯାଇଛି। ସେ ଆହୁରି କହିଛନ୍ତି, ପ୍ରତ୍ୟେକ ମଣିଷ ନିଜକୁ ରାମ ଓ ରାବଣ ଉଭୟଙ୍କ ସହ ଯୋଡ଼ିପାରିବେ। କିନ୍ତୁ ପରିସ୍ଥିତିକୁ ରାମ କିପରି ସାମ୍ନା କରିଥିଲେ, ତାହା ବୁଝାଇବା ପାଇଁ ରାବଣଙ୍କ ଚରିତ୍ର ମଧ୍ୟ ସେତିକି ଜରୁରୀ।
୧୦୦ରୁ ଅଧିକ ଦେଶରେ ରିଲିଜ୍ ହେବ ଫିଲ୍ମ
ଏହି ମେଗା ପ୍ରୋଜେକ୍ଟକୁ ନମିତ ମଲହୋତ୍ରା ପ୍ରଯୋଜନା କରୁଛନ୍ତି। ଫିଲ୍ମଟି ଦୁଇଟି ଭାଗରେ ରିଲିଜ୍ ହେବାର ଯୋଜନା ରହିଛି। ପ୍ରଥମ ଭାଗ ଦୀପାବଳି ୨୦୨୬ରେ ଏବଂ ଦ୍ୱିତୀୟ ଭାଗ ଦୀପାବଳି ୨୦୨୮ରେ ମୁକ୍ତିଲାଭ କରିବାର ସୂଚନା ରହିଛି।
୧୦୦ରୁ ଅଧିକ ଦେଶ ଓ ୪୦ରୁ ଅଧିକ ଭାଷାରେ ଫିଲ୍ମଟିକୁ ରିଲିଜ୍ କରିବାର ଯୋଜନା ରହିଛି। ଏହାକୁ ନେଇ ଫିଲ୍ମପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖିବାକୁ ମିଳୁଛି।
ଭାରତୀୟ ପୌରାଣିକ କାହାଣୀକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ନିର୍ମିତ ଏହି ଫିଲ୍ମ କେତେ ରେକର୍ଡ କରିବ, ତାହା ଦେଖିବାକୁ ଏବେ ସମସ୍ତଙ୍କ ଅପେକ୍ଷା।