ଭୁବନେଶ୍ୱର: ରାଜ୍ୟରେ ପୁଣି ବଦଳିବ ପାଗ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାର ଏକାଧିକ ଜିଲ୍ଲାରେ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତ ସହ ପ୍ରବଳ ବେଗରେ ପବନ ବହିବା ଆଶଙ୍କା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପ୍ରଥମ ଦିନ: କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ଆଶଙ୍କା, ନଭେମ୍ବର ୪ ସକାଳ ୮ଟା ୩୦ ପର୍ଯ୍ୟନ୍ତ
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ଦୁଇ ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୦ କି.ମି. ପର୍ଯ୍ୟନ୍ତ ରହିପାରେ।
ଏହି ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହ ପବନ ଆଶଙ୍କା:
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼। ଏହି ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବହିବା ସହ ଝଟକା ପବନର ବେଗ ୫୦ କି.ମି. ପର୍ଯ୍ୟନ୍ତ ରହିପାରେ।
ଦ୍ୱିତୀୟ ଦିନ: ୧୭ ଜିଲ୍ଲାକୁ ବଜ୍ରପାତ ଓ ଝଡ଼ବର୍ଷା ଆଲର୍ଟ, ନଭେମ୍ବର ୪ ସକାଳ ୮ଟା ୩୦ରୁ ନଭେମ୍ବର ୫ ସକାଳ ୮ଟା ୩୦ ପର୍ଯ୍ୟନ୍ତ
ଦ୍ୱିତୀୟ ଦିନରେ ମଧ୍ୟ ରାଜ୍ୟର ଏକାଧିକ ଜିଲ୍ଲାରେ ବଜ୍ରପାତ ସହ ଘଡ଼ଘଡ଼ି ଓ ଝଟକା ପବନ ବହିବା ସମ୍ଭାବନା ରହିଛି।
ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା:
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼। ଏହି ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବହିବା ଆଶଙ୍କା ରହିଛି।