ନୂଆଦିଲ୍ଲୀ: ସବୁଜ ଶକ୍ତି କ୍ଷେତ୍ରରେ ଦେଶର ଏକ ପ୍ରମୁଖ ହବ୍ ଭାବେ ଉଭା ହେବାକୁ ଯାଉଛି ଓଡ଼ିଶା। ଅକ୍ଷୟ ଶକ୍ତି କ୍ଷେତ୍ରରେ ରାଜ୍ୟକୁ ମିଳିଛି ୧୮ଟି ବଡ଼ ନିବେଶ ପ୍ରସ୍ତାବ। ଏଥିରେ ପ୍ରାୟ ୧.୧୭ ଲକ୍ଷ କୋଟି ଟଙ୍କାର ନିବେଶ ଏବଂ ୧୧,୭୪୨ ମେଗାୱାଟ୍ ଅତିରିକ୍ତ କ୍ଷମତା ସୃଷ୍ଟିର ଆକଳନ କରାଯାଇଛି।
ନୂଆଦିଲ୍ଲୀରେ ଆୟୋଜିତ Bharat Renewable Energy Summit & Expo 2026 ଅବସରରେ ମଙ୍ଗଳବାର ଏହି ୧୮ଟି ବୁଝାମଣାପତ୍ର (MoU) ଆଦାନପ୍ରଦାନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।
କେଉଁ କ୍ଷେତ୍ରରେ ହେବ ନିବେଶ?
୧.୧୭ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ଓ ୧୧,୭୪୨ ମେଗାୱାଟ୍ର ଲକ୍ଷ୍ୟ ସହ ଓଡ଼ିଶା ଏବେ ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ନିଜର ନୂଆ ପରିଚୟ ଗଢ଼ିବାକୁ ପ୍ରସ୍ତୁତ।ଏହି ପ୍ରସ୍ତାବିତ ନିବେଶ ମଧ୍ୟରେ ରହିଛି ଅନେକ ଆଧୁନିକ ଓ ଭବିଷ୍ୟତମୁଖୀ ଶକ୍ତି ପ୍ରକଳ୍ପ।
- ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ
- ସୌର ଶକ୍ତି ଓ ପବନ ଶକ୍ତି
- ହାଇବ୍ରିଡ୍ ଅକ୍ଷୟ ଶକ୍ତି ପ୍ରକଳ୍ପ
- ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍
- ଗ୍ରୀନ୍ ହାଇଡ୍ରୋଜେନ୍
- ଗ୍ରୀନ୍ ଡାଟା ସେଣ୍ଟର
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶା ପାଭିଲିୟନ୍ ଉଦ୍ଘାଟିତ
ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମିଳିତ ଭାବେ ଓଡ଼ିଶା ପାଭିଲିୟନ୍ ଏବଂ ନେଦରଲ୍ୟାଣ୍ଡ୍ସ ପାଭିଲିୟନ୍ର ଉଦ୍ଘାଟନ କରିଥିଲେ। ଏହି ପାଭିଲିୟନ୍ରେ ଓଡ଼ିଶାର ଅକ୍ଷୟ ଶକ୍ତି ସମ୍ଭାବନା, ରଣନୈତିକ ସୁବିଧା ଓ ନିବେଶର ବିଭିନ୍ନ ସୁଯୋଗକୁ ପ୍ରଦର୍ଶିତ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ ଏକ୍ସରେ କରାଯାଇଥିବା ପୋଷ୍ଟ ଅନୁଯାୟୀ, ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଅକ୍ଷୟ ଶକ୍ତି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ସ୍ୱଚ୍ଛ ଶକ୍ତି ଉତ୍ପାଦନ କ୍ଷମତା ବଢ଼ାଇବାରେ ସହାୟକ ହେବ।
ନିବେଶର ନୂଆ ଗନ୍ତବ୍ୟ ହେବ କି ଓଡ଼ିଶା?
ଶିଳ୍ପାୟନ ସହିତ ସ୍ୱଚ୍ଛ ଶକ୍ତିର ବିକାଶକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏହି ୧୮ଟି ଏମ୍ଓୟୁ ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ର ପ୍ରତି ଶିଳ୍ପ ଜଗତର ବଢ଼ୁଥିବା ଆଗ୍ରହକୁ ଦର୍ଶାଉଛି। ଯଦି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ସଫଳତାର ସହ କାର୍ଯ୍ୟକାରୀ ହୁଏ, ତେବେ ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବା ସହ ଦେଶର ସବୁଜ ଶକ୍ତି ଅଭିଯାନକୁ ମଧ୍ୟ ନୂଆ ଗତି ମିଳିପାରିବ।