ଖୋର୍ଦ୍ଧା: ଏକ ବଡ ଧରଣର ଆନ୍ତଃ-ଜିଲ୍ଲା ସିନ୍ଧିଚୋର ଓ ଅଳଙ୍କାର ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଖୋର୍ଦ୍ଧା ଜିଲ୍ଲା ପୋଲିସ। ପୋଲିସ ଏହି ମାମଲାରେ ଚୋରି ସାମଗ୍ରୀ କିଣୁଥିବା ଜଣେ ବ୍ୟକ୍ତିଙ୍କ ସମେତ ମୋଟ ୧୨ ଜଣଙ୍କୁ ଗିରଫ କରିଛି।ପୋଲିସ ଗ୍ୟାଙ୍ଗ ନିକଟରୁ ୫୦୦ ଗ୍ରାମ ସୁନା ଗହଣା ଏବଂ ୧୧ କେଜି ରୂପା ଅଳଙ୍କାର ଜବତ କରିଛି।
ଏହି ଗ୍ୟାଙ୍ଗ ମୁଖ୍ୟତଃ ଖୋର୍ଦ୍ଧାର ଟାଙ୍ଗୀ, ନାଚୁଣୀ, ବାଣପୁର, ବାଲୁଗାଁ ଏବଂ ନୟାଗଡ଼ର ଚାନ୍ଦପୁର ଥାନା ଅଞ୍ଚଳରେ ଥିବା ଅଳଙ୍କାର ଦୋକାନ ଓ ଆବାସିକ ଗୃହଗୁଡ଼ିକୁ ଟାର୍ଗେଟ୍ କରୁଥିଲେ। ନିକଟରେ ବାଣପୁର ଜୁଏଲରୀ ଚୋରି ଘଟଣାରେ ଏମାନଙ୍କ ସଂପୃକ୍ତି ଥିଲା ବୋଲି ଏସ୍ପି କହିଛନ୍ତି।
ଖୋର୍ଦ୍ଧା ଏସପି ପରମାର ସ୍ମିତ ପରଷୋତ୍ତମଦାସଙ୍କ ନିର୍ଦ୍ଦେଶରେ ଏବଂ ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।
ଗିରଫ ହୋଇଥିବା ଅଭିଯୁକ୍ତମାନେ ଖୋର୍ଦ୍ଧା, ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ବୋଲି ଜଣାପଡ଼ିଛି। ଏହି ଗିରଫଦାରୀ ଦ୍ଵାରା ବିଗତ ଦୁଇ ବର୍ଷ ମଧ୍ୟରେ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଘଟିଥିବା ପ୍ରାୟ ୧୫ଟି ବଡ଼ ଧରଣର ଚୋରି ଓ ଡକାୟତି ମାମଲାର ପର୍ଦ୍ଦାଫାଶ ହୋଇପାରିଛି।