ପାକିସ୍ତାନରେ ଅଭାବନୀୟ ଘଟଣା। ରୋଗୀଙ୍କୁ ହସ୍ପିଟାଲ ନେଉଥିବା ଆମ୍ବୁଲାନ୍ସ ଭିତରେ ଫାଟିଲା ଅକ୍ସିଜେନ୍ ସିଲିଣ୍ଡର। ଆଖି ପିଛୁଳାକେ ଚାଲିଗଲା ୧୦ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ପାକିସ୍ତାନର ସିନ୍ଧ ପ୍ରଦେଶ ଥାରପାରକର ଜିଲ୍ଲାର ନଗରପାରକର ଅଞ୍ଚଳରେ ଗୁରୁବାର ଏହି ଭୟଙ୍କର ଦୁର୍ଘଟଣା ଘଟିଛି।
ପୁଲିସର ସୂଚନା ଅନୁସାରେ, ଦାନୋ ଧନ୍ଧଲସ୍ଥିତ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜଣେ ମହିଳାଙ୍କୁ ଜିଲ୍ଲା ହସ୍ପିଟାଲ ମିଠିକୁ ନିଆଯାଉଥିଲା। ପ୍ରସବ ପରେ ଜଟିଳତା ଦେଖାଦେବାରୁ ତାଙ୍କୁ ଉନ୍ନତ ଚିକିତ୍ସାର ଆବଶ୍ୟକତା ଥିଲା। ତେବେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସ ଭିତରେ ଘଟିଗଲା ବଡ଼ ଅଘଟଣ।
ସିଲିଣ୍ଡର ଘୁଞ୍ଚାଉଥିବା ବେଳେ ବିସ୍ଫୋରଣ
ବରିଷ୍ଠ ପୁଲିସ ଅଧିକାରୀ ଆରିଫ ଅଜିଜ ଜାଫ୍ରିଙ୍କ କହିବା ଅନୁସାରେ, ଆମ୍ବୁଲାନ୍ସ ଭିତରେ ଡ୍ରାଇଭର ଅକ୍ସିଜେନ୍ ସିଲିଣ୍ଡରକୁ ଏପଟ ସେପଟ କରୁଥିବା ସମୟରେ ଏହା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି। ଘଟଣାର ତଦନ୍ତ ପାଇଁ ପୁଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ବସ୍ ଓଲଟି ୧୧ ମୃତ, ୩୦ରୁ ଅଧିକ ଆହତ
ଏହା ପୂର୍ବରୁ ପାକିସ୍ତାନର ପଞ୍ଜାବ ପ୍ରଦେଶର ରାଜନପୁରରେ ଆଉ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଥିଲା। କରାଚିରୁ ଡେରା ଗାଜି ଖାନ ଯାଉଥିବା ଏକ ଯାତ୍ରୀବାହୀ ବସ୍ ନିର୍ମାଣାଧୀନ ରାଜପଥରେ ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଥିଲେ।
ଏହି ଦୁର୍ଘଟଣାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଶୋକ ପ୍ରକାଶ କରିବା ସହ ଆହତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।