ନୂଆଦିଲ୍ଲୀ: ଇସ୍ରାଏଲରେ ଅନୁଷ୍ଠିତ ସଂସଦ ନିର୍ବାଚନ ପରେ ମତ ଗଣନା ଜାରି ରହିଛି । ଏକ୍ସିଟ୍ ପୋଲ୍ ଏବଂ ଭୋଟ୍ ଗଣନାର ପ୍ରାରମ୍ଭିକ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ବେଞ୍ଜାମିନ ନେତନ୍ୟାହୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିବେ । ନେତନ୍ୟାହୁଙ୍କ ଦଳ ବିଜୟ ଅଭିମୁଖେ ଅଗ୍ରସର ହେଉଛି ।
ଇସ୍ରାଏଲ୍ ନିର୍ବାଚନର ଆଂଶିକ ଭୋଟ୍ ଗଣନା ଅନୁଯାୟୀ, ନେତାନ୍ୟାହୁଙ୍କ ନେତୃତ୍ୱାଧୀନ ମେଣ୍ଟ ୫୬ଟି ଆସନ ହାସଲ କରିବା ପଥରେ ରହିଛି । ଅନ୍ୟପକ୍ଷରେ ଗାଡି ଆଇଜେନକୋଟଙ୍କ ନେତୃତ୍ୱାଧୀନ ବିରୋଧୀ ଗୋଷ୍ଠୀ ୪୮ଟି ଆସନ ସହ ଆଗରେ ରହିଛି । ନେତାନ୍ୟାହୁଙ୍କ ବିରୋଧୀ ଆରବ ଦଳଗୁଡ଼ିକ ୧୬ଟି ଆସନ ଜିତିବା ସ୍ଥିତିରେ ଥିବା ପରି ମନେହେଉଛି । ୧୨୦ ସଦସ୍ୟ ବିଶିଷ୍ଟ ସଂସଦରେ ସରକାର ଗଠନ କରିବା ପାଇଁ ୬୧ଟି ଆସନ ଆବଶ୍ୟକ। ବର୍ତ୍ତମାନ ସୁଦ୍ଧା ମୋଟ ଭୋଟର ୬୬.୨% ଗଣନା କରାଯାଇଛି ।
ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିଜକୁ ନିଜେ ପ୍ରଶଂସାରେ ପୋତି ପକାଇଛନ୍ତି । ଟ୍ରମ୍ପ ସୋସିଆଲ୍ ମିଡ଼ିଆରେ କହିଛନ୍ତି ଯେ ତାଙ୍କ ସମର୍ଥନ ପାଇଁ ନେତନ୍ୟାହୁ ଜିତିବାକୁ ଯାଉଛନ୍ତି ।
ଟ୍ରମ୍ପ ଦାବି କରିଛନ୍ତି ଯେ ତାଙ୍କ ସମର୍ଥନ ଯୋଗୁଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ନିର୍ବାଚନରେ ଲାଭବାନ ହୋଇଛନ୍ତି । ତାଙ୍କ ସମର୍ଥନ ପରେ ନିର୍ବାଚନୀ ଦୃଶ୍ୟପଟ ବଦଳି ଯାଇଛି। ଟେକ୍ସାସରେ ଏକ ରାଲି ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟ୍ରମ୍ପ ଉଲ୍ଲେଖ କରିଛନ୍ତି ଯେ ନେତନ୍ୟାହୁ ପ୍ରାରମ୍ଭିକ ନିର୍ବାଚନରେ ଭଲ ପ୍ରଦର୍ଶନ କରୁଥିବା ପରି ମନେ ହେଉଛି ଏବଂ ତାଙ୍କ ସମର୍ଥନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଯୋଗାଇଛି।
ଇସ୍ରାଏଲ ସାଧାରଣ ନିର୍ବାଚନରେ ୭୦ ଲକ୍ଷରୁ ଅଧିକ ଭୋଟର ମତଦାନ କରିବେ। ସଂସଦରେ ୧୨୦ଟି ଆସନ ଥିବାବେଳେ ସରକାର ଗଢ଼ିବାକୁ ୬୧ଟି ଆସନ ଆବଶ୍ୟକ । ଆଜି ନିର୍ବାଚନରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ବ୍ୟତିତ, ପୂର୍ବତନ ସେନା ମୁଖ୍ୟ ଗାଦି ଆଇଜେନକୋଟ, ପୂର୍ବତନ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ, ୟାୟର ଲାପିଡ, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଓ ଆଭିଗଡୋର୍ ଲିବର୍ମ୍ୟାନ୍ ମଇଦାନରେ ଅଛନ୍ତି । ଏହି ନିର୍ବାଚନକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପାଇଁ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଏବଂ କଠିନ ପରୀକ୍ଷା ବୋଲି ବିବେଚନା କରାଯାଉଛି ।