ନୂଆଦିଲ୍ଲୀ: ସାଉଦି ଆରବର ରାଜଧାନୀ ରିୟାଦ ଏବଂ ଏହାର ଆଖପାଖ ଅଞ୍ଚଳରେ ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ହୋଇଥିବା ଆକ୍ରମଣ ପରେ ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷାକୁ ନେଇ ଭାରତ ସରକାର ସତର୍କ ହୋଇଛନ୍ତି। ରିୟାଦସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଗତ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଜରୁରୀ ଆଡଭାଇଜରୀ ଜାରି କରାଯାଇଛି।
ସାଉଦି ପ୍ରଶାସନ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଭାରତୀୟ ମାନଙ୍କୁ ଅନୁରୋଧ କରାଯାଇଛି। ଭାରତୀୟ ଦୂତାବାସ ପକ୍ଷରୁ ସାଉଦି ଆରବର ସିଭିଲ ଡିଫେନ୍ସ ଜେନେରାଲ ଡାଇରେକ୍ଟୋରେଟ୍ (DCD)ର ସେୟାର କରାଯାଇଥିବା ସତର୍କତା ସୂଚନାକୁ ପୁନଃ-ପ୍ରକାଶ କରାଯାଇ ନାଗରିକଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି।
ସାଉଦି ଆରବର ସିଭିଲ ଡିଫେନ୍ସ ଡାଇରେକ୍ଟୋରେଟ୍ ଅନୁଯାୟୀ, ହରୀକ୍ ଗଭର୍ଣ୍ଣରରେଟ୍ରେ ନେସନାଲ ଅର୍ଲି ୱାର୍ଣ୍ଣିଂ ପ୍ଲାଟଫର୍ମ ଜରିଆରେ ବିପଦ ସମ୍ପର୍କିତ ସତର୍କ ସୂଚନା ଦିଆଯାଇଛି। ଯଦି ନାଗରିକମାନଙ୍କୁ ଜରୁରୀକାଳୀନ ଆଲର୍ଟ ମିଳେ, ତେବେ ସେମାନଙ୍କୁ ପ୍ରଥମେ ନିଜକୁ ଶାନ୍ତ ରଖିବା ସହ ଅଫିସିଆଲ ନିର୍ଦ୍ଦେଶ ଅନୁସରଣ କରିବାକୁ କୁହାଯାଇଛି। ଆଲର୍ଟ ମିଳିବା ମାତ୍ରେ ତୁରନ୍ତ କୌଣସି ସୁରକ୍ଷିତ ପକ୍କା କୋଠା ଭିତରକୁ ଚାଲିଯାଆନ୍ତୁ ଏବଂ ଝରକା କିମ୍ବା କାଚଠାରୁ ଦୂରରେ ଥିବା ରୁମ୍ରେ ବିପଦ ନଟଳିବା ପର୍ଯ୍ୟନ୍ତ ରୁହନ୍ତୁ।
ବିପଦ ସମ୍ପୂର୍ଣ୍ଣ ନଟଳିବା ପର୍ଯ୍ୟନ୍ତ ନିଜର ଘର କିମ୍ବା ଆଶ୍ରୟସ୍ଥଳ ଛାଡ଼ି ବାହାରକୁ ଆସନ୍ତୁ ନାହିଁ। ବାଲକୋନି, ଛାତ କିମ୍ବା ଖୋଲା ଜାଗାକୁ ଆଦୌ ଯାଆନ୍ତୁ ନାହିଁ। ଯଦି ଆପଣ ଘର ବାହାରେ ଅଛନ୍ତି, ତେବେ ନିକଟସ୍ଥ କୌଣସି ମଜଭୁତ କୋଠା ଭିତରକୁ ଚାଲିଯାଆନ୍ତୁ କିମ୍ବା କୌଣସି ପ୍ରତିବନ୍ଧକ ପଛରେ ଲୁଚି ରୁହନ୍ତୁ। ଜନଗହଳିପୂର୍ଣ୍ଣ କିମ୍ବା ବିପଦପୂର୍ଣ୍ଣ ସ୍ଥାନକୁ ଯିବାରୁ ବିରତ ରୁହନ୍ତୁ ଏବଂ କୌଣସି ଘଟଣାସ୍ଥଳର ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରନ୍ତୁ ନାହିଁ। ସରକାରୀ ଓ ଅଫିସିଆଲ ମାଧ୍ୟମ ଜରିଆରେ ଆସୁଥିବା ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।