ନୂଆଦିଲ୍ଲୀ: ସ୍ପେନ୍ର କେନ୍ଦ୍ରାଞ୍ଚଳରେ ଦୁଇଟି ଟ୍ରେନ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି । ବୁଧବାର ସକାଳେ ଟୋଲେଡୋରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ପ୍ରାୟ ୩୯ ଜଣଙ୍କର ମୃତ୍ୟୁ ହୋଇଛି । ଏ ନେଇ ସ୍ପେନ୍ର ରେଳ ନେଟୱାର୍କ ପରିଚାଳନା କରୁଥିବା ସଂସ୍ଥା 'ADIF' ସୂଚନା ଦେଇଛି ।
ବ୍ରିଟିଶ୍ ଗଣମାଧ୍ୟମ 'ଦ ଇଣ୍ଡିପେଣ୍ଡେଣ୍ଟ୍'ର ଏକ ରିପୋର୍ଟ ଅନୁଯାୟୀ, ସ୍ପେନ୍ରେ ଦୁଇଟି ଦ୍ରୁତଗାମୀ ଟ୍ରେନ୍ ପରସ୍ପର ସହ ଧକ୍କା ହେବା ଫଳରେ ପ୍ରାୟ ୩୯ ଜଣଙ୍କର ମୃତ୍ୟୁ ହୋଇଛି । ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।
ଦୁଇଟି ଦ୍ରୁତଗାମୀ ଟ୍ରେନ୍ ଗୋଟିଏ ଦିଗରେ ଯାଉଥିଲେ । ଗୋଟିଏ ଟ୍ରେନ୍ ଅନ୍ୟ ଏକ ଟ୍ରେନ୍ର ପଛ ଭାଗରେ ଧକ୍କା ହେବା ପରେ ଦୁଇଟି ବଗି ଲାଇନ୍ଚ୍ୟୁତ ହୋଇଯାଇଛି । ଉଦ୍ଧାରକାରୀ ଦଳ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ସହରର ଟାଉନ୍ ହଲ୍ରେ ଥିବା ଏକ କ୍ରୀଡ଼ା ଭବନକୁ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି।
ଏହି ଦୁର୍ଘଟଣାକୁ ସ୍ପେନର ହାଇ-ସ୍ପିଡ୍ ରେଳ ନେଟୱାର୍କ ପାଇଁ ଏକ ବିପର୍ଯ୍ୟୟ ବୋଲି ବିବେଚନା କରାଯାଉଛି। ଏଠାରେ ଉଲ୍ଲେଖନୀୟ ଯେ ଚଳିତ ବର୍ଷ ଜାନୁଆରୀ ମାସରେ ଦକ୍ଷିଣ ସ୍ପେନରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇ ଅନ୍ୟ ଏକ ଆସୁଥିବା ଟ୍ରେନ୍ ସହିତ ଧକ୍କା ହୋଇଥିଲା, ଯେଉଁଥିରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୩ ଦୁର୍ଘଟଣା ପରେ ସେହି ଦୁର୍ଘଟଣା ସ୍ପେନରେ ସବୁଠାରୁ ଭୟଙ୍କର ଥିଲା, ଯେଉଁଥିରେ ୮୦ ଜଣଙ୍କର ଜୀବନ ଯାଇଥିଲା।