ନୂଆଦିଲ୍ଲୀ: ଆଜି ଇସ୍ରାଏଲରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି । ଗୋଟିଏ ଦିନରେ ମତଦାନ କରାଯାଇ ଆଜି ହିଁ ଫଳାଫଳ ଘୋଷଣା କରାଯିବ । ହମାସ ଆକ୍ରମଣ ଓ ଇରାନ ସହିତ ଯୁଦ୍ଧ ପରେ ଏହା ଇସ୍ରାଏଲର ପ୍ରଥମ ଜାତୀୟ ନିର୍ବାଚନ, ଯାହା ଉପରେ ସାରା ବିଶ୍ୱର ନଜର ରହିଛି । ଦେଶରେ ପ୍ରାୟ ୭୩ ଲକ୍ଷ ଯୋଗ୍ୟ ଭୋଟର ଅଛନ୍ତି । ଏହି ନିର୍ବାଚନ ବର୍ତ୍ତମାନର ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାବିନ ନେତନ୍ୟାହୁଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ନେତନ୍ୟାହୁଙ୍କ ସମ୍ମୁଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ୍ ଏବଂ ଆଇଡିଏଫ୍ ର ପୂର୍ବତନ ମୁଖ୍ୟ ଗାଦି ଆଇଜେନକୋଟ୍ଙ୍କ ଭଳି ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି ।
୨୦୨୩ ଅକ୍ଟୋବର ୭ ତାରିଖରେ ହମାସ୍ର ଆକ୍ରମଣ ଏବଂ ତା’ ପରଠାରୁ ଗାଜା, ଲେବାନନ୍ ଓ ଇରାନ ସହ ଚାଲିଥିବା ସଂଘର୍ଷ ପରେ ଏହା ପ୍ରଥମ ଜାତୀୟ ନିର୍ବାଚନ ଅଟେ। ପ୍ରାୟ ୬୭,୦୦୦ରୁ ଅଧିକ ଇସ୍ରାଏଲୀ ନାଗରିକ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ବିଭିନ୍ନ ଦେଶରୁ ଫେରି ଆସିଛନ୍ତି ।
ଇସ୍ରାଏଲରେ ସରକାର ଗଠନ କରିବା ପାଇଁ ୬୧ଟି ଆସନ ବିଶିଷ୍ଟ ସଂଖ୍ୟା ଗରିଷ୍ଠତା ଆବଶ୍ୟକ । ଏହି ନିର୍ବାଚନରେ ଗାଜା ପରିସ୍ଥିତି, ହମାସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଜାତୀୟ ସୁରକ୍ଷା, ସାମରିକ ସେବା ଏବଂ ନ୍ୟାୟିକ ସଂସ୍କାର ଭଳି ପ୍ରସଙ୍ଗଗୁଡ଼ିକ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି । ଇସ୍ରାଏଲର ନିର୍ବାଚନ ପ୍ରକ୍ରିୟା ଅନୁଯାୟୀ, ମତଦାନ ଶେଷ ହେବା ପରେ ତୁରନ୍ତ ଗଣତି ଆରମ୍ଭ ହେବ ଏବଂ ଫଳାଫଳ ଘୋଷଣା କରାଯିବ ।
ଇସ୍ରାଏଲ ନିର୍ବାଚନ ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବେଞ୍ଜାମିନ୍ ନେତନ୍ୟାହୁଙ୍କ ପ୍ରତି ନିଜର ସମର୍ଥନ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଅତ୍ୟନ୍ତ କଠିନ ପରିସ୍ଥିତିରେ ମଧ୍ୟ ନେତନ୍ୟାହୁ ନିଜର ଦାୟିତ୍ୱଗୁଡ଼ିକୁ ଅତ୍ୟନ୍ତ ଉତ୍ତମ ଭାବରେ ପାଳନ କରିଛନ୍ତି। ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ସେ ପ୍ରଧାନମନ୍ତ୍ରୀ ଭାବରେ ବହୁତ ଭଲ କାମ କରିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି ।