ଜଗତସିଂହପୁର: ବାତ୍ୟା ଅର୍ଣ୍ଣବକୁ ନେଇ ଉପକୂଳରେ ବଢ଼ିଲା ସତର୍କତା। ଓଡ଼ିଶାର ପାରାଦୀପ ବନ୍ଦରରେ ଜାରି ରହିଛି ୨ ନମ୍ବର ସଙ୍କେତ। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦେଖି ବନ୍ଦର କର୍ତ୍ତୃପକ୍ଷ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରିଛନ୍ତି। ନିର୍ଦ୍ଦେଶ ମିଳିବା ମାତ୍ରେ ସମସ୍ତ ମାଲବାହୀ ଜାହାଜ, କୋଷ୍ଟଗାର୍ଡ ଜାହାଜ, ଡଙ୍ଗା ଓ ଡ୍ରେଜରକୁ ବନ୍ଦର ଏବଂ ଲଙ୍ଗର ସ୍ଥଳୀରୁ ହଟାଇ ସମୁଦ୍ରର ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ବନ୍ଦର ଭିତରେ ମାଲ ପରିବହନରେ ବ୍ୟବହୃତ ଭାରୀ ଯାନ, କ୍ରେନ୍ ଓ ଲୋଡରଗୁଡ଼ିକୁ ସୁରକ୍ଷିତ ଭାବେ ରଖିବାକୁ ନିର୍ଦ୍ଦେଶ ରହିଛି। ଆବଶ୍ୟକ ସ୍ଥାନରେ ହାଇମାଷ୍ଟ ଲାଇଟ୍କୁ ତଳକୁ ଖସାଇବାକୁ ମଧ୍ୟ କୁହାଯାଇଛି। ସତର୍କତାମୂଳକ ପଦକ୍ଷେପ ଭାବେ ସମୁଦ୍ରକୂଳକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସକାଳୁ ପାରାଦୀପ ଆକାଶ ମେଘାଚ୍ଛନ୍ନ ରହିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାତ୍ୟା ଅର୍ଣ୍ଣବ ଅକ୍ଟୋବର ୨୮ ତାରିଖରେ ଆନ୍ଧ୍ରପ୍ରଦେଶର ୟାନାମ ଓ କାକିନାଡା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି। ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ କରିବା ସହ ବାତ୍ୟା ମୁକାବିଲା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜାରି ରହିଛି।