କାକିନାଡ଼ା : ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁଛି ବାତ୍ୟା। ଆନ୍ଧ୍ରପ୍ରଦେଶର କାକିନାଡା ନିକଟରେ ସ୍ଥଳଭାଗରେ ଅର୍ଣ୍ଣବ ତାଣ୍ଡବ ରଚିଛି। ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଅର୍ଣ୍ଣବ ର ପ୍ରଭାବରେ ଝଡବର୍ଷା ଜାରି ରହିଛି। ଭାରତ ପାଣିପାଗ ବିଭାଗ କହିଛି ଯେ ଅତି ଭୀଷଣ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଏବେ ବି ଜାରି ରହିଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଘୂର୍ଣ୍ଣିଝଡ଼ର ଉତ୍ତର ବକ୍ର ଅଂଶ ସ୍ଥଳଭାଗ ଭିତରକୁ ଆହୁରି ଆଗକୁ ବଢ଼ିଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଗାମୀ ତିନି ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଅଛି। ପବନର ବେଗ ବଢ଼ିଛି। ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି। ବିଗତ ୬ ଘଣ୍ଟା ହେଲା ବାତ୍ୟା ଘଣ୍ଟାପିଛା ୧୮କିମି ବେଗରେ ଅଗ୍ରସର ହେଉଛି।
‘ଅର୍ଣ୍ଣବ’ର ପ୍ରକୋପରେ ଛାର୍ଖାର୍ ହୋଇଛି ଆନ୍ଧ୍ର ଉପକୂଳ। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିବା ବେଳେ ବାତ୍ୟାର ଭୟଙ୍କର ରୂପ ଦେଖିବାକୁ ମିଳିଛି। ଅନେକ ସ୍ଥାନକୁ ଛାରଖାର କରିଦେଇଛି ପବନ । ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ବେଗରେ ପବନ ବହୁଛି । ଏହା ସହ ସାଙ୍ଗକୁ ମୂଷଳଧାରାରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ଅନେକ ସ୍ଥାନରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ।
ତେବେ ସଦ୍ଯ ଖବର ଅନୁଯାୟୀ ସଂପୂର୍ଣ୍ଣ ସ୍ଥିର ରହିଛି ଅତିଭୀଷଣ ବାତ୍ୟା ଅର୍ଣ୍ଣବ। ୩ ଘଣ୍ଟା ଧରି ସମ୍ପୂର୍ଣ୍ଣ ସ୍ଥିର ରହିଛି ଅର୍ଣ୍ଣବ। ସ୍ଥଳଭାଗ ପ୍ରକ୍ରିୟା ଆହୁରି ୨ ଘଣ୍ଟା ଜାରି ରହିବା ସମ୍ଭାବନା କିନ୍ତୁ ଗତିର ଦିଗ ପରିବର୍ତ୍ତନ ହେତୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ବିଳମ୍ବିତ ହେଉଥିବା ଅନୁମାନ କରାଯାଉଛି।