ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆନ୍ଧ୍ରର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଛି । ୬ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର ଓ ଉପକୂଳ ଓଡ଼ିଶାରେ ବର୍ଷା ଓ ପବନ ଲାଗି ରହିଛି। ବାତ୍ୟା ବର୍ତ୍ତମାନ ଡିପ୍ ଡିପ୍ରେସନ୍ ଭାବେ ଓଡ଼ିଶା ଦେଇ ଦକ୍ଷିଣ ଛତିଶଗଡ଼ ମୁହାଁ ହୋଇ ଆଗକୁ ବଢ଼ିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି।
ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ସମୟ ଗୁରୁତ୍ବପୂର୍ଣ୍ଣ ଅଟେ । ଏହି ସମୟରେ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୭୦ କିମି ବେଗରେ ପବନ ହେବାକୁ ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋରଧା ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ୪୦ରୁ ୬୦ କିମି ବେଗରେ ପବନ ହୋଇପାରେ।
ସେହିପରି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକାଙ୍କ ସୂଚନା ଅନୁସାରେ ଛତିଶଗଡ଼ ମୁହାଁଇବା ବେଳେ ଓଡ଼ିଶା ଉପରେ ପଡ଼ିବ ବଡ ପ୍ରଭାବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର,ରାୟଗଡ଼ା, ଗଞ୍ଜାମ ଓ ଗଜପତି ରେ ଅତିପ୍ରବଳ ବର୍ଷିବ। ୬୦ରୁ ୭୦ କିମି ବେଗରେ ପବନ ବହିବ। ଝଟ୍କା ପବନର ବେଗ ଘଣ୍ଟା ପ୍ରତି ୮୦ କିମି ରହିବା ସମ୍ଭାବନା।
କଳାହାଣ୍ଡି ଓ ଗଜପତିରେ ବି ପବନର ବେଗ ରହିବ ୮୦ କିମି।
ଦକ୍ଷିଣ ଓଡ଼ିଶାରେ ଫ୍ଲାସ୍ ଫ୍ଲଡ୍ ହୋଇପାରେ ବୋଲି ଅନୁମାନ କରାଯାଇଛି। ଉତ୍ତର ଓଡ଼ିଶାରେ ବି ଧୀରେ ଧୀରେ ବର୍ଷା ବଢ଼ିବ ।