ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଅତି ଭୀଷଣ ବାତ୍ୟାର ରୂପ ନେଇ ଦ୍ରୁତ ଗତିରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଏହି ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ଼ ଆଜି ଅକ୍ଟୋବର ୨୮ ତାରିଖ ଭୋର ସମୟରେ ସ୍ଥଳଭାଗ ଅତିକ୍ରମ କରିବାର ପୂର୍ବାନୁମାନ କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଗତକାଲି (ଅକ୍ଟୋବର ୨୭) ରାତି ସାଢ଼େ ୮ଟା ସୁଦ୍ଧା ବାତ୍ୟାର କେନ୍ଦ୍ରସ୍ଥଳ ୧୬.୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୨.୪ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ ସ୍ଥିର ରହିଥିଲା। ଏହା ବର୍ତ୍ତମାନ କାକିନାଡ଼ାଠାରୁ ପ୍ରାୟ ୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଥିବା ବେଳେ ମଛଲିପଟନମ୍ଠାରୁ ୧୩୦ କିଲୋମିଟର, ବିଶାଖାପାଟଣାଠାରୁ ୧୮୦ କିଲୋମିଟର ଏବଂ ବାପାଟଲାଠାରୁ ୨୧୦ କିଲୋମିଟର ଦୂରତାରେ ରହିଛି। ସେହିପରି ଓଡ଼ିଶାର ଗୋପାଳପୁରଠାରୁ ଏହି ବାତ୍ୟାର ଦୂରତା ପ୍ରାୟ ୪୨୦ କିଲୋମିଟର ରହିଛି।
ୟାନାମ୍ ନିକଟରେ ହେବ ‘ଲ୍ୟାଣ୍ଡଫଲ୍’, ମାଡ଼ିଆସୁଛି ବାହ୍ୟ ବଳୟ
ଆଗାମୀ କିଛି ଘଣ୍ଟା ମଧ୍ୟରେ ବାତ୍ୟା ଅର୍ଣ୍ଣବ ପଶ୍ଚିମ-ଉତ୍ତରପଶ୍ଚିମ ଏବଂ ପରେ ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଆଜି ଭୋର ସମୟରେ ବାପାଟଲା ଓ ବିଶାଖାପାଟଣା ମଧ୍ୟସ୍ଥ ୟାନାମ୍ର ଦକ୍ଷିଣ ନିକଟରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବା ସହ ଝଟକା ପବନର ବେଗ ଘଣ୍ଟାକୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
ବାତ୍ୟାର ବାହ୍ୟ ଘୂର୍ଣ୍ଣାୟମାନ ବଳୟ ସ୍ଥଳଭାଗରେ ପ୍ରବେଶ କରିସାରିଥିବାରୁ ଉପକୂଳ ଅଞ୍ଚଳରେ ପବନ ଓ ବର୍ଷା ଆରମ୍ଭ ହୋଇଯାଇଛି। ପୂର୍ବ ଆକଳନଠାରୁ ଏହା ଶୀଘ୍ର ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ଏହାର ଗତିପଥ ଉପରେ କ୍ରମାଗତ ନଜର ରଖିଛି।