ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଚିନ୍ତାରେ ଓଡ଼ିଶା। ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ଅନୁଭୂତ ହେବ। ବିଶେଷ କରି ମାଲକାନଗିରି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି।
ବାତ୍ୟା ପ୍ରସ୍ତୁତି ନେଇ ମଙ୍ଗଳବାର ପ୍ରେସମିଟ୍ରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବାତ୍ୟାର ମୁକାବିଲା ପାଇଁ ସରକାର ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ସେ କହିଛନ୍ତି।
୮ ଜିଲ୍ଲାକୁ ୧୯ କୋଟି ଟଙ୍କା
ବାତ୍ୟା ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲା ପାଇଁ ସରକାର ୧୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଓ ରିଲିଫ୍ କାର୍ଯ୍ୟ ପାଇଁ ଏହି ଅର୍ଥ ବ୍ୟବହାର କରାଯିବ।
ସେହିପରି ୪୬୬ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ଏଠାରେ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ବ୍ୟବସ୍ଥା କରାଯାଇଛି। ତଳିଆ ଓ ବିପଦସଙ୍କୁଳ ଅଞ୍ଚଳର ପ୍ରାୟ ୪୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନେଇ ପଦକ୍ଷେପ ନିଆଯାଉଛି।
ଏହି ଜିଲ୍ଲାଗୁଡ଼ିକ ଉପରେ ନଜର
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ମାଲକାନଗିରି ସମେତ କୋରାପୁଟ, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିପାରେ। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ଝଟକା ପବନ ବହିବାର ଆଶଙ୍କା ରହିଛି। ବିପର୍ଯ୍ୟୟର ମୁକାବିଲା ପାଇଁ NDRF, ODRAF ଓ ଅଗ୍ନିଶମ ବାହିନୀକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।
ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଭାବିତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କିଛି ଅଞ୍ଚଳରେ ଝିପିଝିପି ବର୍ଷା ମଧ୍ୟ ଆରମ୍ଭ ହୋଇଛି।
ଗୁଜବଠାରୁ ଦୂରେଇ ରହିବାକୁ ପରାମର୍ଶ
ବାତ୍ୟାକୁ ନେଇ ଭୟଭୀତ ନହୋଇ ସରକାରୀ ନିର୍ଦ୍ଦେଶ ମାନିବା ସହ ଗୁଜବରେ ବିଶ୍ୱାସ ନକରିବାକୁ ମନ୍ତ୍ରୀ ସୁରେଶ ପୂଜାରୀ ଲୋକଙ୍କୁ ଅନୁରୋଧ କରିଛନ୍ତି। ପ୍ରଶାସନ ପକ୍ଷରୁ ଜାରି ହେଉଥିବା ସତର୍କ ସୂଚନାକୁ ଅନୁସରଣ କରିବା ସହ ଜରୁରୀ ପରିସ୍ଥିତିରେ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।