ଗଞ୍ଜାମ: ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରଶାସନିକ ତତ୍ପରତା ବଢ଼ିଛି। ବାତ୍ୟା ଜନିତ ବିପଦରୁ ଲୋକଙ୍କ ଜୀବନ ରକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏବେ ସୁଦ୍ଧା ବିପଦସଙ୍କୁଳ ଅଞ୍ଚଳରୁ ୮୬୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେଥିମଧ୍ୟରେ ୧୮୮ ଜଣ ଗର୍ଭବତୀ ମହିଳା ରହିଛନ୍ତି।
ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ବିଭିନ୍ନ ଚିକିତ୍ସା କେନ୍ଦ୍ର ଓ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ନିଆଯାଇଛି। ବାତ୍ୟା ସମୟରେ ଯେପରି କୌଣସି ଜୀବନହାନି ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି।
୧,୦୨୯ ଆଶ୍ରୟସ୍ଥଳୀ ପ୍ରସ୍ତୁତ
ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୧,୦୨୯ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଏଠାରେ ଲୋକଙ୍କ ପାଇଁ ଆବଶ୍ୟକ ରିଲିଫ୍ ସାମଗ୍ରୀର ବ୍ୟବସ୍ଥା କରାଯାଇଛି। ଏଥିସହ ୯୨୨ଟି ବିପଦସଙ୍କୁଳ ଗାଁ ଉପରେ ପ୍ରଶାସନ ନଜର ରଖିଛି। ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତି ହୋଇଛି।
ଗୋପାଳପୁର ବନ୍ଦରରେ ୩୦ ଟ୍ରଲର
ସମୁଦ୍ର ଅଶାନ୍ତ ହେଉଥିବାରୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ୩୦ଟି ମାଛଧରା ଟ୍ରଲର ଗୋପାଳପୁର ବନ୍ଦରରେ ଆଶ୍ରୟ ନେଇଛନ୍ତି। ସମୁଦ୍ରରେ ବିପଦ ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କ ସୁରକ୍ଷା ଉପରେ ମଧ୍ୟ ନଜର ରଖାଯାଇଛି।
ମୁତୟନ ହେଲେ NDRF ଓ ODRAF ଟିମ୍
ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ୩ଟି ODRAF ଟିମ୍ ଓ ୨ଟି NDRF ୟୁନିଟ୍ ମୁତୟନ କରାଯାଇଛି। ଉଦ୍ଧାର, ରିଲିଫ୍ ଓ ଜରୁରୀକାଳୀନ ସେବାକୁ ସୁଗମ କରିବା ପାଇଁ ଏହି ଟିମ୍ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ବାତ୍ୟାର ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ସତର୍କ ରହିଥିବାବେଳେ ଲୋକଙ୍କୁ ସରକାରୀ ନିର୍ଦ୍ଦେଶ ମାନିବା ଓ ଅଯଥା ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି।