ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ। ୮ ଜଣ IAS ଅଧିକାରୀଙ୍କ ଦାୟିତ୍ୱରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। କୃଷି, ସ୍ୱାସ୍ଥ୍ୟ, ପଶୁପାଳନ, ଉଦ୍ୟାନ କୃଷି, ସମବାୟ ଓ ରାଜସ୍ୱ ପ୍ରଶାସନ ଭଳି ବିଭିନ୍ନ ବିଭାଗରେ ନୂଆ ଦାୟିତ୍ୱ ଦିଆଯାଇଛି। ଏହି ଅଦଳବଦଳରେ ବିଭିନ୍ନ ନିର୍ଦ୍ଦେଶକ, ନିଗମର ପରିଚାଳନା ନିର୍ଦ୍ଦେଶକ ଓ ରାଜସ୍ୱ ଆୟୁକ୍ତଙ୍କ ଦାୟିତ୍ୱ ପରିବର୍ତ୍ତନ ହୋଇଛି।
କାହାକୁ ମିଳିଲା କେଉଁ ଦାୟିତ୍ୱ?
୧. ଡକ୍ଟର ପୋମା ଟୁଡୁ: କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବେ ନିଯୁକ୍ତ। ଏଥିସହ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇବେ।
୨. ସଂଗ୍ରାମ କେଶରୀ ମହାପାତ୍ର: ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ଭାବେ ନିଯୁକ୍ତ ହୋଇଛନ୍ତି। ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ (WODC)ର ଅଧ୍ୟକ୍ଷ (ଭାରପ୍ରାପ୍ତ) ଦାୟିତ୍ୱ ମଧ୍ୟ ବଜାୟ ରଖିବେ।
୩. ଶୁଭମ ସକ୍ସେନା: କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପଦରୁ ବଦଳି ହୋଇ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (BDA)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।
୪. ଡକ୍ଟର ଗାଭାଲି ପରାଗ ହର୍ଷଦ: କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM), ଓଡ଼ିଶାର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ପାଇଛନ୍ତି।
୫. ବିଜୟ ଅମୃତା କୁଲାଙ୍ଗେ: ପଶୁପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ପଦରୁ ବଦଳି ହୋଇ ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ଭାବେ ନିଯୁକ୍ତ ହୋଇଛନ୍ତି।
୬. ଚକ୍ରବର୍ତ୍ତୀ ସିଂହ ରାଠୋର: ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଏହି ଅଧିକାରୀଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଦାୟିତ୍ୱର ଅତିରିକ୍ତ ଭାର ଦିଆଯାଇଛି।
୭. ପ୍ରଣତି ଛୋଟରାୟ: ଗୃହ ବିଭାଗର ଅତିରିକ୍ତ ସଚିବ ପଦରୁ ବଦଳି ହୋଇ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (OMFED)ର ପରିଚାଳନା ନିର୍ଦ୍ଦେଶକ ହୋଇଛନ୍ତି।
୮. ସୁବ୍ର କୁମାର ପଣ୍ଡା: ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ଦାୟିତ୍ୱ ସହ ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇବେ।
ଏହି ପ୍ରଶାସନିକ ଅଦଳବଦଳ ମାଧ୍ୟମରେ ବିଭିନ୍ନ ବିଭାଗର କାର୍ଯ୍ୟକୁ ଅଧିକ ସୁସଂଗଠିତ କରିବା ସହ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ପ୍ରଶାସନିକ ଦକ୍ଷତା ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି।