ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ଏବଂ 'ଏସ୍ଆଇଆର୍' କୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନଗୁଡ଼ିକର ମଙ୍ଗଳବାର ହେବାକୁ ଥିବା ଶୁଣାଣିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି । ନିର୍ବାଚନ ଆୟୋଗଙ୍କ ସତ୍ୟପାଠର ଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ଆଗାମୀ ୧୦ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।
ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ, ରାଜ୍ୟସଭା ସାଂସଦ ଡୋଲା ସେନ୍ଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ନୂତନ ଆବେଦନ ଉପରେ ନିର୍ବାଚନ ଆୟୋଗ ଏବଂ ଅନ୍ୟ ପକ୍ଷମାନଙ୍କୁ ନୋଟିସ୍ ଜାରି କରିଛନ୍ତି।
ଏହି ମାମଲାର ଶୁଣାଣିକୁ ପରବର୍ତ୍ତୀ ଏକ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆବେଦନକାରୀ ରାକେଶ ସିଂହଙ୍କ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂହ କୋର୍ଟଙ୍କୁ ଜଣାଇଥିଲେ ଯେ, ନିର୍ବାଚନ ଆୟୋଗଙ୍କ ସତ୍ୟପାଠ ଶୁଣାଣିର ଠିକ୍ ପୂର୍ବ ରାତିରେ ମିଳିଛି । ତେଣୁ ଏହାର ଜବାବ ପ୍ରସ୍ତୁତ କରିବା ପାଇଁ ସମୟ ଲୋଡ଼ିଥିଲେ । ସୁପ୍ରିମକୋର୍ଟ ଏଥିପାଇଁ ୧୦ ଦିନର ମହଲତ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଦୀପାବଳି ଛୁଟି ପରେ ହେବ ବୋଲି ଆଶା କରାଯାଉଛି ।
ସେପଟେ ନିର୍ବାଚନ ଆୟୋଗ, ଏସ୍ଆଇଆର୍ ପ୍ରକ୍ରିୟା ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ୨୪୮ ପୃଷ୍ଠାର ବିସ୍ତୃତ ସତ୍ୟପାଠ ଦାଖଲ କରିଛନ୍ତି । ନିର୍ବାଚନ ଆୟୋଗ ନିଜର ସତ୍ୟପାଠରେ 'ଏସ୍ଆଇଆର୍' ପ୍ରକ୍ରିୟାର ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି ଏବଂ ଦୃଢ଼ତାର ସହ କହିଛନ୍ତି ଯେ, ନିର୍ବାଚନ ତାଲିକାରେ ନାମ ଯୋଡ଼ିବା ପାଇଁ ବ୍ୟବହୃତ ହେଉଥିବା 'ଫର୍ମ-୬'ରେ କୌଣସି ପରିବର୍ତ୍ତନ କରାଯାଇନାହିଁ।