ନୂଆଦିଲ୍ଲୀ: କେବଳ ଜୀବନ ବଞ୍ଚାଇବା ନୁହେଁ, ବିପର୍ଯ୍ୟୟ ପରେ ଦେଶର ଭିତ୍ତିଭୂମି, ଅର୍ଥନୀତି ଓ ବିକାଶକୁ ସୁରକ୍ଷିତ ରଖିବା ଉପରେ ଏବେ ଗୁରୁତ୍ୱ ଦେବାକୁ ପଡ଼ିବ। ବିପର୍ଯ୍ୟୟ ଜନିତ ଆର୍ଥିକ କ୍ଷତିକୁ ହ୍ରାସ କରିବା ସହ ଦୀର୍ଘମିଆଦୀ ପ୍ରସ୍ତୁତି ଓ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଜରୁରୀ। ଏଭଳି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡକ୍ଟର ପି.କେ. ମିଶ୍ର।
ନୂଆଦିଲ୍ଲୀରେ ମିଳିତ ଜାତିସଂଘର ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟାଳୟ (UNDRR) ପକ୍ଷରୁ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ସେ ଏହି ମତ ରଖିଛନ୍ତି। ଭାରତ ଓ ବ୍ରିଟେନ୍ର ସହ-ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଶ୍ୱସ୍ତରରେ ବଢ଼ୁଥିବା ବିପର୍ଯ୍ୟୟ ବିପଦ ଓ ଏହାର ମୁକାବିଲା ପାଇଁ ରଣନୀତି ଉପରେ ଆଲୋଚନା ହୋଇଥିଲା।
ଜୀବନ ବଞ୍ଚାଇବା ସହ ଆର୍ଥିକ କ୍ଷତି ରୋକିବା ଜରୁରୀ
ଡକ୍ଟର ମିଶ୍ର କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ, ଦ୍ରୁତ ସହରୀକରଣ, ଭିତ୍ତିଭୂମିର ସମ୍ପ୍ରସାରଣ ଓ ପରିବେଶର ଅବକ୍ଷୟ ପରସ୍ପର ସହ ଜଡ଼ିତ। ଏହି କାରଣରୁ ବିପର୍ଯ୍ୟୟର ବିପଦ ଦିନକୁ ଦିନ ଜଟିଳ ହେଉଛି।
ପୂର୍ବ ସତର୍କ ସୂଚନା, ବିପର୍ଯ୍ୟୟ ପ୍ରସ୍ତୁତି ଓ ଜରୁରୀକାଳୀନ ପଦକ୍ଷେପ ଦ୍ୱାରା ଅନେକ ଜୀବନ ବଞ୍ଚାଯାଇପାରିଛି। କିନ୍ତୁ ଆର୍ଥିକ କ୍ଷତି ଏବେ ବି ଚିନ୍ତାଜନକ। ତେଣୁ ବିଭାଗୀୟ ସୀମା ମଧ୍ୟରେ ରହି କାମ କରିବା ପରିବର୍ତ୍ତେ ସମସ୍ତ ବିଭାଗ ମିଳିତ ଭାବେ ବିପଦର ମୁକାବିଲା କରିବା ଆବଶ୍ୟକ।
ବିପର୍ଯ୍ୟୟ ସତର୍କ ସୂଚନାରେ AIର ବ୍ୟବହାର
ବିପର୍ଯ୍ୟୟର ପୂର୍ବାନୁମାନ ଓ ମୁକାବିଲା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (AI) ଓ ମେସିନ୍ ଲର୍ଣ୍ଣିଂ (ML)ର ବ୍ୟବହାର ଉପରେ ଡକ୍ଟର ମିଶ୍ର ଗୁରୁତ୍ୱ ଦେଇଥିଲେ। ଏକାଧିକ ପ୍ରକାରର ବିପର୍ଯ୍ୟୟ ପାଇଁ ପୂର୍ବ ସତର୍କ ସୂଚନା ବ୍ୟବସ୍ଥାକୁ ଉନ୍ନତ କରିବା ସହ ସତର୍କ ସୂଚନା ମିଳିବା ମାତ୍ରେ ତ୍ୱରିତ ପ୍ରଶାସନିକ ପଦକ୍ଷେପ ଓ ଆର୍ଥିକ ସହାୟତା ସୁନିଶ୍ଚିତ କରିବା ଜରୁରୀ ବୋଲି ସେ କହିଥିଲେ।
ଏଥିସହ ବିପର୍ଯ୍ୟୟ ପରବର୍ତ୍ତୀ ପୁନର୍ନିର୍ମାଣ ଯୋଜନା ପୂର୍ବରୁ ପ୍ରସ୍ତୁତ ରଖିବାକୁ ସେ ପରାମର୍ଶ ଦେଇଥିଲେ। ପୁନର୍ନିର୍ମାଣ ସମୟରେ ପୁରୁଣା ଦୁର୍ବଳତାକୁ ଦୂର କରି ଅଧିକ ସୁରକ୍ଷିତ ଭିତ୍ତିଭୂମି ଗଢ଼ିବା ଉପରେ ତାଙ୍କର ଗୁରୁତ୍ୱ ଥିଲା।
୨୦୩୦ ସୁଦ୍ଧା ସେନ୍ଦାଇ ଫ୍ରେମୱାର୍କ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ
ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଭାରତର ସେନ୍ଦାଇ ଫ୍ରେମୱାର୍କ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇ ଡକ୍ଟର ମିଶ୍ର ୨୦୩୦ ସୁଦ୍ଧା ଏହାର ଲକ୍ଷ୍ୟ ହାସଲ ପାଇଁ ଦ୍ରୁତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ। ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି, ସ୍ଥାୟୀ ସହରୀ ବ୍ୟବସ୍ଥା, ପ୍ରାକୃତିକ ପରିବେଶର ସୁରକ୍ଷା ଓ ଦକ୍ଷ ଅନୁଷ୍ଠାନ ଗଠନ ପାଇଁ ପୁଞ୍ଜିନିବେଶ ଉପରେ ସେ ଜୋର୍ ଦେଇଥିଲେ।
୨୦୨୩ରେ ଭାରତର G20 ଅଧ୍ୟକ୍ଷତା ସମୟରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟଗୋଷ୍ଠୀ ଗଠନ ଏବଂ BRICS ମଞ୍ଚରେ ଜାରି ରହିଥିବା ସହଯୋଗର ଉଦାହରଣ ଦେଇ ସେ ଆନ୍ତର୍ଜାତୀୟ ସମନ୍ୱୟର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରିଥିଲେ।
ବୈଠକ ଶେଷରେ ଡକ୍ଟର ମିଶ୍ର ବିଶ୍ୱ ସମୁଦାୟ ପାଇଁ ତିନୋଟି ପ୍ରମୁଖ ପ୍ରାଥମିକତା ଉଲ୍ଲେଖ କରିଥିଲେ, ବିପର୍ଯ୍ୟୟର ପରସ୍ପର ସଂଯୁକ୍ତ ବିପଦକୁ ଭଲ ଭାବେ ବୁଝିବା, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମିରେ ଫଳପ୍ରଦ ପୁଞ୍ଜିନିବେଶ ଏବଂ ଆନ୍ତର୍ଜାତୀୟ ସହଯୋଗକୁ ଅଧିକ ସୁଦୃଢ଼ କରିବା।
ସେ କହିଥିଲେ ଯେ, ଆଗାମୀ ଦଶନ୍ଧିର ସଫଳତା କେବଳ କେତେ ଜୀବନ ବଞ୍ଚାଗଲା ତାହାରେ ସୀମିତ ରହିବ ନାହିଁ। ମାନବ ସୃଷ୍ଟ ଭିତ୍ତିଭୂମି, ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଓ ଦୀର୍ଘସ୍ଥାୟୀ ବିକାଶକୁ କେତେ ଦୂର ସୁରକ୍ଷିତ ରଖାଯାଇପାରୁଛି, ତାହା ମଧ୍ୟ ସଫଳତାର ମାପକାଠି ହେବ।