ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ଆହୁରି କଠୋର ହେବ ରାଜ୍ୟ ସରକାର। ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳତା ନୀତି ଆପଣାଇଥିବା ସରକାର ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଉଛନ୍ତି। ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୪୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ୯୧ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି। ମଙ୍ଗଳବାର ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀ ଓ ଅତିଥିମାନଙ୍କୁ ଦୁର୍ନୀତି ବିରୋଧରେ ସଚ୍ଚୋଟତା ଓ ସାଧୁତାର ଶପଥ ପାଠ କରାଇଥିଲେ। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚେତାବନୀ ଦେଇ ସେ କହିଥିଲେ ଯେ, ଏବେ ସରକାର ଆଇଭରି ଟାୱାରରେ ବସି ଶାସନ କରୁନାହାନ୍ତି। ସରକାର ଲୋକଙ୍କ ପାଖକୁ ଯାଉଛନ୍ତି, ସେମାନଙ୍କ ସମସ୍ୟା ଶୁଣୁଛନ୍ତି ଏବଂ ଅଭିଯୋଗ ଅନୁଯାୟୀ ପଦକ୍ଷେପ ନେଉଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜନଶୁଣାଣି କାର୍ଯ୍ୟକ୍ରମ ତୃଣମୂଳସ୍ତରରେ ଦୁର୍ନୀତି ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଛି। ଏହା ଜରିଆରେ ଲୋକେ ନିଜ ସମସ୍ୟା ଓ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ସିଧାସଳଖ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛନ୍ତି। ଅଭିଯୋଗ ଆଧାରରେ ଆବଶ୍ୟକ ପଦକ୍ଷେପ ମଧ୍ୟ ନିଆଯାଉଛି।
ସେପ୍ଟେମ୍ବର ସୁଦ୍ଧା ଦଣ୍ଡବିଧାନ ହାର ୬୫%
ଓଡ଼ିଶା ଭିଜିଲାନ୍ସର କାର୍ଯ୍ୟଦକ୍ଷତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୫ରେ ଭିଜିଲାନ୍ସର କନଭିକ୍ସନ ରେଟ୍ ୫୦ ପ୍ରତିଶତ ରହିଥିବା ବେଳେ ୨୦୨୬ ସେପ୍ଟେମ୍ବର ସୁଦ୍ଧା ଏହା ୬୫ ପ୍ରତିଶତରେ ପହଞ୍ଚିଛି। ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଦୋଷୀଙ୍କୁ ଦଣ୍ଡିତ କରିବା କ୍ଷେତ୍ରରେ ଓଡ଼ିଶା ଭିଜିଲାନ୍ସ ଉଲ୍ଲେଖନୀୟ ସଫଳତା ହାସଲ କରିଛି।
ଗତ ଅଢ଼େଇ ବର୍ଷ ମଧ୍ୟରେ ଜଣେ ଆଇଏଏସ୍ ଅଧିକାରୀ, ୮ ଜଣ ମୁଖ୍ୟଯନ୍ତ୍ରୀ ପାହ୍ୟାର ଅଧିକାରୀ, ୨ ଜଣ ବନ ଅଧିକାରୀ, ୩ ଜଣ ଖଣି ଉପନିର୍ଦ୍ଦେଶକ, ୫ ଜଣ ତହସିଲଦାର ଓ ୪ ଜଣ ବିଡିଓଙ୍କ ସମେତ ବହୁ ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯାଇଛି।
ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜିର ବ୍ୟବହାର
ଦୁର୍ନୀତି ନିୟନ୍ତ୍ରଣ ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଓଡ଼ିଶା ଆଇଟି ନୀତି ଅନୁସାରେ ଏ କ୍ଷେତ୍ରରେ ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯିବ। ଏଥିସହ ଓଡ଼ିଶା ଭିଜିଲାନ୍ସରେ ଏକ ପ୍ରିଭେଣ୍ଟିଭ୍ ଭିଜିଲାନ୍ସ ରିସର୍ଚ୍ଚ ୱିଙ୍ଗ୍ ଗଠନ କରାଯାଉଛି। ଏହା ଦୁର୍ନୀତିପ୍ରବଣ କ୍ଷେତ୍ର ଚିହ୍ନଟ କରିବା ସହ ଶାସନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବାରେ ସହାୟକ ହେବ।
ପ୍ରଧାନମନ୍ତ୍ରୀଙ୍କ JAM ବ୍ୟବସ୍ଥାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଦ୍ୱାରା ଯୋଜନାର ଅର୍ଥ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ସମ୍ଭବ ହୋଇଛି। ଏହା ଦୁର୍ନୀତି ଓ ବାଟମାରଣା ରୋକିବାରେ ସହାୟକ ହୋଇଛି ବୋଲି ସେ କହିଥିଲେ।
ଚଳିତ ବର୍ଷର ବିଷୟବସ୍ତୁ ‘ସାଧୁତାରୁ ସମୃଦ୍ଧି’ ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତ ସରକାରୀ କର୍ମଚାରୀଙ୍କୁ ସଚ୍ଚୋଟତା, ନିଷ୍ଠା ଓ ସ୍ୱଚ୍ଛତାକୁ ଜୀବନର ଅଂଶ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ୨୦୨୫ ବର୍ଷ ପାଇଁ ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ ଭାବେ କୋରାପୁଟ, ଶ୍ରେଷ୍ଠ ୟୁନିଟ୍ ଭାବେ ଅନୁଗୋଳକୁ ପୁରସ୍କୃତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ତଦନ୍ତ ଅଧିକାରୀ, ଶ୍ରେଷ୍ଠ ମହିଳା ତଦନ୍ତ ଅଧିକାରୀ ଓ ଶ୍ରେଷ୍ଠ ପବ୍ଲିକ୍ ପ୍ରୋସିକ୍ୟୁଟରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ।