ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେଇଛି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ। ପ୍ରତିକୂଳ ପାଣିପାଗ ମଧ୍ୟରେ ୩୦୫ ଜଣ ମତ୍ସ୍ୟଜୀବୀଙ୍କୁ ୩୫ଟି ମାଛଧରା ଡଙ୍ଗା ସହ ବନ୍ଦର ଭିତରେ ଆଶ୍ରୟ ଦିଆଯାଇଛି।
ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରୁ ଏହି ଡଙ୍ଗାଗୁଡ଼ିକ ବନ୍ଦର ଭିତରେ ରହିଛି। ମତ୍ସ୍ୟଜୀବୀଙ୍କୁ ଇଷ୍ଟର୍ଣ୍ଣ କ୍ୱେ-୧ (EQ-1) ବର୍ଥରେ ରଖାଯାଇଛି, ଯାହାଦ୍ୱାରା ଖରାପ ପାଗ ସମୟରେ ସେମାନେ ସୁରକ୍ଷିତ ରହିପାରିବେ।
ବାତ୍ୟା ଭଳି ପ୍ରତିକୂଳ ପରିସ୍ଥିତିରେ ସମୁଦ୍ରକୂଳରେ ରହୁଥିବା ମତ୍ସ୍ୟଜୀବୀଙ୍କ ଜୀବନ ଓ ଜୀବିକାର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ଏହି ଉଦ୍ଦେଶ୍ୟରେ ବନ୍ଦର କର୍ତ୍ତୃପକ୍ଷ ଆଗୁଆ ପଦକ୍ଷେପ ନେଇଛନ୍ତି।
ମଙ୍ଗଳବାର ‘ଏକ୍ସ’ରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ। ମତ୍ସ୍ୟଜୀବୀଙ୍କ ସୁରକ୍ଷା ଓ ସହଯୋଗ ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇବା ସହ “ସୁରକ୍ଷା ପ୍ରଥମ, ପ୍ରସ୍ତୁତି ସବୁବେଳେ” ବାର୍ତ୍ତା ଦେଇଛନ୍ତି।