ଭୁବନେଶ୍ୱର: ରାଷ୍ଟ୍ରୀୟ ଏକତା ଦିବସରେ ଗୁଜରାଟର ଏକତା ନଗରରେ ଆୟୋଜିତ ହେବାକୁ ଥିବା ଜାତୀୟ ପ୍ୟାରେଡ୍ରେ ସାମିଲ ହେବେ ଓଡ଼ିଶାର ପ୍ରାୟ ୧୦୦୦ ପ୍ରତିନିଧି। ଏଥିପାଇଁ ମଙ୍ଗଳବାର ଭୁବନେଶ୍ୱର ନୂଆ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ୧୯ଟି ନକ୍ସଲମୁକ୍ତ ଜିଲ୍ଲାରୁ ଏହି ପ୍ରତିନିଧିମାନେ ଗୁଜରାଟ ଅଭିମୁଖେ ଯାତ୍ରା କରିଛନ୍ତି।
ଆସନ୍ତା ଅକ୍ଟୋବର ୩୧ରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବ। ଏହି ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ଜାତୀୟ ପ୍ୟାରେଡ୍ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତିନିଧିମାନେ ଶାନ୍ତି, ସୁରକ୍ଷା ଓ ପ୍ରଗତିର ବାର୍ତ୍ତା ଦେବେ।
୫୫୦ରୁ ଅଧିକ ଦେଶୀୟ ରାଜ୍ୟକୁ ଏକତ୍ର କରିଥିଲେ ସର୍ଦ୍ଦାର ପଟେଲ
ଟ୍ରେନ୍ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ ତାଙ୍କର ଦୃଢ଼ ନେତୃତ୍ୱ ଓ ଅସାଧାରଣ ସଂକଳ୍ପ ବଳରେ ଦେଶର ୫୫୦ରୁ ଅଧିକ ଦେଶୀୟ ରାଜ୍ୟକୁ ଏକତ୍ର କରାଯାଇଥିଲା। ଏହା ଅଖଣ୍ଡ ଭାରତ ଗଠନରେ ଏକ ଐତିହାସିକ ଭୂମିକା ଗ୍ରହଣ କରିଥିଲା।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରତିବର୍ଷ ସର୍ଦ୍ଦାର ପଟେଲଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ଜାତୀୟ ପ୍ୟାରେଡ୍ ନକ୍ସଲମୁକ୍ତ ଭାରତର ଚିତ୍ରକୁ ପ୍ରତିଫଳିତ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ନକ୍ସଲ ପ୍ରଭାବିତ ଅଞ୍ଚଳର ବିକାଶକୁ ଗୁରୁତ୍ୱ
ନକ୍ସଲ ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମି ସହ ସାମାଜିକ ଓ ଅର୍ଥନୈତିକ ବିକାଶକୁ ସରକାର ପ୍ରାଥମିକତା ଦେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ୧୦ଟି ପ୍ରଭାବିତ ଜିଲ୍ଲାରେ ‘ଗ୍ରାମୋଦୟ ପ୍ଲସ୍’ ଯୋଜନା ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଯାଉଛି। ଏହାଦ୍ୱାରା ଲୋକମାନେ ବିକାଶର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ‘ଏକ୍ ଭାରତ, ଶ୍ରେଷ୍ଠ ଭାରତ’ ପରିକଳ୍ପନାକୁ ସାକାର କରିବା ପାଇଁ ଦେଶର ୧୪୦ କୋଟି ଲୋକଙ୍କ ମିଳିତ ପ୍ରୟାସ ଜାରି ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।
ପୁରୀରୁ ବାଦାମପାହାଡ଼ ଗଡ଼ିବ ନୂଆ ଏକ୍ସପ୍ରେସ୍ ଟ୍ରେନ୍
ଏହି ଅବସରରେ ଓଡ଼ିଶାର ରେଳ ଯୋଗାଯୋଗକୁ ନେଇ ମଧ୍ୟ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀରୁ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ପର୍ଯ୍ୟନ୍ତ ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ସେ କହିଛନ୍ତି।
ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଟ୍ରେନ୍ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏହି ରେଳସେବା ଦ୍ୱାରା ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ଯୋଗାଯୋଗ ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।