ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ମନମୁଖୀ କାର୍ଯ୍ୟାନୁଷ୍ଠାନ ଏବଂ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR)କୁ ନେଇ ଦାୟର ଆବେଦନ ଉପରେ ସୁପ୍ରିମକୋର୍ଟରେ ନିଜର ଆଫିଡେଭିଟ୍ ଦାଖଲ କରିଛି ନିର୍ବାଚନ ଆୟୋଗ (EC)। ବିରୋଧୀ ଦଳଗୁଡ଼ିକ ଦ୍ୱାରା ଦାଖଲ କରାଯାଇଥିବା ଆବେଦନଗୁଡ଼ିକୁ କେବଳ ଗଣମାଧ୍ୟମ ରିପୋର୍ଟ ଉପରେ ଆଧାରିତ ବୋଲି ଦର୍ଶାଇ ଆୟୋଗ ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି।
ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଜବାବରେ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟା ସହ ଜଡ଼ିତ ଜୁନ୍ ୨୦୨୫, ଅକ୍ଟୋବର ୨୦୨୫ ଏବଂ ମେ ୨୦୨୬ର ସମସ୍ତ ଆଦେଶ ସର୍ବସମ୍ମତିକ୍ରମେ ନିଆଯାଇଥିଲା। ଏହି ସମସ୍ତ ନିଷ୍ପତ୍ତିରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ସହ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତଙ୍କ ମଞ୍ଜୁରୀ ରହିଥିଲା।
ମଙ୍ଗଳବାର ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
ଆସନ୍ତା ମଙ୍ଗଳବାର (୨୭ ଅକ୍ଟୋବର) ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଯୋୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ। ସାମାଜିକ କର୍ମୀ ରାକେଶ କୁମାର ସିଂ, ଓକିଲ ଶୈଳେନ୍ଦ୍ର ମଣି ତ୍ରିପାଠୀ, ରାହୁଲ ଗାନ୍ଧୀଙ୍କ ସମେତ ଇଣ୍ଡିଆ ମେଣ୍ଟର ୧୩ ଜଣ ନେତା ଏବଂ AIMIM ପ୍ରମୁଖ ଅସଦୁଦ୍ଦିନ ଓୱେସୀଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରାଯିବ। ଆବେଦନକାରୀମାନେ ନିର୍ବାଚନ ଆୟୋଗଙ୍କ ବୈଠକର ରେକର୍ଡ କୋର୍ଟରେ ତଲବ କରିବା ସହ ସମଗ୍ର ମାମଲାର ଜୁଡିସିଆଲ୍ ତଦନ୍ତ ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ କାର୍ଯ୍ୟରୁ ଦୂରେଇ ରଖିବାକୁ ଦାବି କରିଛନ୍ତି।
ଫର୍ମ-୬ରେ କୌଣସି ପରିବର୍ତ୍ତନ ହୋଇନାହିଁ
ଭୋଟର ଆବେଦନ ପାଇଁ ଉଦ୍ଦିଷ୍ଟ 'ଫର୍ମ-୬'ରେ ପରିବର୍ତ୍ତନ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇ ଆୟୋଗ କହିଛନ୍ତି ଯେ, ଫର୍ମରେ ସଂଶୋଧନ କରିବାର ଅଧିକାର କେବଳ କେନ୍ଦ୍ର ସରକାରଙ୍କ ପାଖରେ ଅଛି। ଅନଲାଇନ୍ ଆବେଦନ ଫର୍ମାଟ୍ରେ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଅକ୍ଟୋବର ୨୧ରୁ ଅନଲାଇନ୍ ଫର୍ମ-୬କୁ SIR ଘୋଷଣାପତ୍ରଠାରୁ ଅଲଗା କରାଯାଇଛି।
ଏହାଛଡ଼ା, ଯେଉଁ ଭୋଟରଙ୍କ ପୁରୁଣା ରେକର୍ଡ ମ୍ୟାପିଂ ହୋଇପାରି ନାହିଁ, ସେମାନଙ୍କୁ ସାଧାରଣତଃ ପ୍ରତ୍ୟକ୍ଷ ଶୁଣାଣି ପାଇଁ ଡକାଯିବ ନାହିଁ। ବୁଥ୍ ଲେଭଲ୍ ଅଫିସର (BLO) ସେମାନଙ୍କ ଘରକୁ ଯାଇ ଦସ୍ତାବିଜ ସଂଗ୍ରହ କରିବେ। କେବଳ ସ୍ୱତନ୍ତ୍ର ପରିସ୍ଥିତିରେ ହିଁ ଅନଲାଇନ୍ ଶୁଣାଣି କରାଯିବ।