ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ମହାରାଜ କଂସଙ୍କ ଚରିତ୍ରରେ ଅଭିନୟ କରି ପ୍ରଶଂସିତ ହୋଇଥିବା ଜଣାଶୁଣା କଳାକାର ସୁଶୀଲ ମେହେର ଚଳିତ ବର୍ଷର ନାଟକରୁ ଓହରିଯାଇଛନ୍ତି। ସେ କଂସ ଭୂମିକାରୁ ଗୋଟିଏ ବର୍ଷ ପାଇଁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ ସୁଶୀଲ ମେହେର ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲଙ୍କୁ ଏକ ଆନୁଷ୍ଠାନିକ ଚିଠି ଲେଖି ଅବଗତ କରାଇଛନ୍ତି।
କାହିଁକି କଂସ ଭୂମିକାରୁ ଓହରିଲେ ସୁଶୀଲ ?
ଜିଲ୍ଲାପାଳଙ୍କୁ ଦେଇଥିବା ଚିଠିରେ ସୁଶୀଲ ଉଲ୍ଲେଖ କରିଛନ୍ତି ଯେ, ବିଗତ ଦିନରେ ତାଙ୍କ ଅଭିନୟ ଏବଂ କିଛି ବିବାଦକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ତାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଛି। ଏହି କ୍ରମାଗତ ମାନସିକ ଚାପ ଓ ଅସ୍ଥିରତା ହେତୁ ସେ ଏଥର ମହାରାଜ କଂସଙ୍କ ଭୂମିକା ତୁଲାଇବାକୁ ନିଜକୁ ଅସମର୍ଥ ମଣିଛନ୍ତି। ତେଣୁ ସେ ଗୋଟିଏ ବର୍ଷ ପାଇଁ ଏହି ଅଭିନୟରୁ ବିରତି ନେଉଥିବା ସ୍ପଷ୍ଟ କରିଛନ୍ତି।
ଆୟୋଜକ କମିଟି ସମ୍ମୁଖରେ ନୂଆ ଆହ୍ୱାନ
ଆସନ୍ତା ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଏହି ଐତିହାସିକ ବରଗଡ଼ ଧନୁଯାତ୍ରା ଆୟୋଜିତ ହେବାକୁ ଯାଉଛି। ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛନ୍ତି ମହାରାଜା କଂସ, ଏବଂ ଏହି ଭୂମିକା ପାଇଁ ଜଣେ ଅତି ଦକ୍ଷ ଓ ନିପୁଣ କଳାକାରଙ୍କ ଆବଶ୍ୟକତା ରହିଛି।
ସୁଶୀଲ ମେହେର ଓହରିଯିବା ପରେ ଏବେ ନୂଆ କଂସ ଚୟନ କରିବା ଧନୁଯାତ୍ରା ମହୋତ୍ସବ ସମିତି ଏବଂ ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ସାଜିଛି। ଧନୁଯାତ୍ରାର ସମୃଦ୍ଧ ପରମ୍ପରାକୁ ବଜାୟ ରଖିବା ଏବଂ ମହୋତ୍ସବକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଆୟୋଜକ କମିଟି ଏବେ ବିକଳ୍ପ କଳାକାରଙ୍କ ଚୟନ ନେଇ ଚିନ୍ତାପ୍ରକଟ ସହ ବିଚାରବିମର୍ଶ ଜାରି ରଖିଛନ୍ତି।