ଗୁଆହାଟୀ: ଆସାମର ରାଜଧାନୀ ଗୁଆହାଟୀ ସହରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏକ ଆବାସିକ ହୋଟେଲ ଭିତରେ ପଶି ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ କରିବାରୁ ୪ ଜଣଙ୍କର ପ୍ରାଣହାନି ଘଟିଛି। ଏହି ଗୁଳିକାଣ୍ଡରେ ଦୁଇଜଣ ମହିଳା ଓ ହୋଟେଲର ଜଣେ କର୍ମଚାରୀଙ୍କ ସମେତ ଏକାଧିକ ଲୋକ ଗୁରୁତର ଆହାତ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଗୁଆହାଟୀର ଲଚ୍ଛିତ ନଗର ଅଞ୍ଚଳରେ ଥିବା 'ହୋଟେଲ ବିଲାସ ଇନ୍'ରେ ସୋମବାର ରାତି ପ୍ରାୟ ୯ଟା ସମୟରେ ଏହି ଅପ୍ରତ୍ୟାଶିତ ଗୁଳିକାଣ୍ଡ ଘଟିଥିଲା। ବୋରା ସର୍ଭିସ୍ ନିକଟସ୍ଥ ଏହି ହୋଟେଲ ମଧ୍ୟକୁ ହଠାତ୍ କିଛି ଦୁର୍ବୃତ୍ତ ପଶି ଗୁଳିଚାଳନା କରିଥିଲେ। ଗୁଳିର ଶବ୍ଦରେ ପୂରା ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।
ଘଟଣାର ଖବର ପାଇବା କ୍ଷଣି ଗୁଆହାଟୀ ପୋଲିସ ଓ ଆମ୍ବୁଲାନ୍ସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହାତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଗୁଆହାଟୀ ପୋଲିସ କମିଶନର ୪ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି ।
ତେବେ କେଉଁ କାରଣରୁ ଏବଂ କିଏ ଏହି ଗୁଳିକାଣ୍ଡ ଘଟାଇଛି, ସେ ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ପୋଲିସ ସମଗ୍ର ହୋଟେଲ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ସିଲ୍ କରି ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଛାନ୍ଭିନ୍ ଚଳାଇଛି।