ନୂଆଦିଲ୍ଲୀ: ୨୦୨୬ ଏସୀୟ ହକି ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଦଳ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ପଞ୍ଜାବର ଜଳନ୍ଧର ସ୍ଥିତ ଅଲମ୍ପିଆନ୍ ସୁରଜିତ୍ ସିଂହ ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଆୟୋଜକ ଭାରତ ୧୩-୦ ଗୋଲ୍ର ଏକତରଫା ବିଜୟ ହାସଲ କରିଛି। ଦଳ ପକ୍ଷରୁ ଷ୍ଟାର ଖେଳାଳି ମନଦୀପ ସିଂହ ଆକର୍ଷଣୀୟ ହାଟ୍ରିକ୍ ଗୋଲ୍ ଦେଇଥିବା ବେଳେ ମ୍ୟାଚ୍ର ସମ୍ପୂର୍ଣ୍ଣ ୬୦ ମିନିଟ୍ ମଧ୍ୟରେ ବାଂଲାଦେଶ କୌଣସି ବି ମୁହୂର୍ତ୍ତରେ ଭାରତୀୟ ଦଳକୁ କଡା ଟକ୍କର ଦେଇ ପାରି ନ ଥିଲା ।
ମ୍ୟାଚ୍ର ଆରମ୍ଭରୁ ହିଁ ଟିମ୍ ଇଣ୍ଡିଆ ନିଜର ଦବ୍ଦବା ବଜାୟ ରଖିଥିଲା। ଖେଳର ଦ୍ୱିତୀୟ ମିନିଟ୍ରେ ଅଧିନାୟକ ହରମନପ୍ରୀତ ସିଂହ ପ୍ରଥମ ଗୋଲ୍ ଦେଇ ଦଳକୁ ଆଗୁଆ କରିଥିଲେ। ଏହାପରେ ମନଦୀପ ସିଂହ ୩ୟ ଏବଂ ୧୦ମ ମିନିଟ୍ରେ ଲଗାତାର ଦୁଇଟି ଗୋଲ୍ କରି ସ୍କୋର୍କୁ ୩-୦ରେ ପହଞ୍ଚାଇଥିଲେ। ପ୍ରଥମ କ୍ୱାଟର ଶେଷ ହେବା ପୂର୍ବରୁ ୧୫ଶ ମିନିଟ୍ରେ ଶିଲାନନ୍ଦ ଲାକ୍ରା ଗୋଲ୍ କରି ଭାରତକୁ ୪-୦ର ବୃଦ୍ଧି ଦେଇଥିଲେ। ଦ୍ୱିତୀୟ କ୍ୱାଟରରେ ଅଭିଷେକ୍ ୧୮ଶ ମିନିଟ୍ରେ ଏବଂ ନୀଲକଣ୍ଠ ଶର୍ମା ୨୬ଶ ମିନିଟ୍ରେ ଗୋଲ୍ ସଂଗ୍ରହ କରିଥିଲେ। ଫଳରେ ଦୁଇଟି କ୍ୱାଟର ଶେଷ ସୁଦ୍ଧା ଭାରତ ୬-୦ ଗୋଲ୍ରେ ବହୁ ଆଗରେ ରହିଥିଲା।
ତୃତୀୟ କ୍ୱାଟର ଶେଷ ୩ ମିନିଟ୍ରେ ୩ଟି ଗୋଲ୍
ତୃତୀୟ କ୍ୱାଟରର ପ୍ରଥମ ୧୨ ମିନିଟ୍ ପର୍ଯ୍ୟନ୍ତ ବାଂଲାଦେଶ କିଛି ମାତ୍ରାରେ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରି ଗୋଲ୍ ରୋକିବାରେ ସଫଳ ହୋଇଥିଲା। ମାତ୍ର କ୍ୱାଟରର ଶେଷ ୩ ମିନିଟ୍ରେ ଭାରତୀୟ ଆକ୍ରମଣକାରୀ ଦଳ ଧୂଆଁଧାର ପ୍ରଦର୍ଶନ କରିଥିଲେ। ଦିଲପ୍ରୀତ ସିଂହ ୪୩ଶ ଏବଂ ୪୪ଶ ମିନିଟ୍ରେ ପରପର ଦୁଇଟି ଗୋଲ୍ କରିଥିଲେ। ଏହାର ତୁରନ୍ତ ପରେ ୪୪ଶ ମିନିଟ୍ରେ ଅଧିନାୟକ ହରମନପ୍ରୀତ ନିଜର ଦ୍ୱିତୀୟ ଗୋଲ୍ ଦେଇଥିଲେ, ଯାହାଫଳରେ ତୃତୀୟ କ୍ୱାଟର ସୁଦ୍ଧା ସ୍କୋର୍ ୯-୦ ହୋଇଯାଇଥିଲା।
ଶେଷ କ୍ୱାଟରରେ ୪ଟି ଗୋଲ୍ ଓ ମନଦୀପଙ୍କ ହାଟ୍ରିକ୍
ଚତୁର୍ଥ ତଥା ଅନ୍ତିମ କ୍ୱାଟରରେ ମଧ୍ୟ ଭାରତୀୟ ଦଳର ଗୋଲ୍ ବର୍ଷା ଜାରି ରହିଥିଲା। ୪୬ଶ ମିନିଟ୍ରେ ଜୁଗରାଜ ସିଂହ ୧୦ମ ଗୋଲ୍ କରିଥିଲେ। ୫୪ଶ ମିନିଟ୍ରେ ମନଦୀପ ସିଂହ ନିଜର ୩ୟ ଗୋଲ୍ ଦେଇ ହାଟ୍ରିକ୍ ପୂରଣ କରିବା ସହ ସ୍କୋର୍କୁ ୧୧-୦ରେ ପହଞ୍ଚାଇଥିଲେ। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ପୁରସ୍କାରରେ ସମ୍ମାନିତ କରାଯାଇଛି।