ବ୍ରାଜିଲର ରାଜନୀତିରେ ନୂଆ ଇତିହାସ। ଦକ୍ଷିଣପନ୍ଥୀ ନେତା ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରି ପୁଣିଥରେ ବାଜି ମାରିଛନ୍ତି ଲୁଇଜ୍ ଇନାସିଓ ଲୁଲା ଦା ସିଲଭା। ଏହି ବିଜୟ ସହ ସେ ଚତୁର୍ଥ ଥର ପାଇଁ ବ୍ରାଜିଲର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ବୋଲି ରିପୋର୍ଟରେ ଦାବି କରାଯାଇଛି। ତାଙ୍କ ବିଜୟ ପରେ ସମର୍ଥକଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖାଦେଇଛି।
ରିପୋର୍ଟ ଅନୁଯାୟୀ, ଲୁଲା ୫୧.୭୫ ପ୍ରତିଶତ ଭୋଟ୍ ପାଇଥିବା ବେଳେ ଫ୍ଲାଭିଓ ବୋଲସୋନାରୋ ୪୮.୨୫ ପ୍ରତିଶତ ଭୋଟ୍ ପାଇଛନ୍ତି। ଏହି ଫଳାଫଳ ଦକ୍ଷିଣ ଆମେରିକାରେ ଦେଖାଦେଇଥିବା ଦକ୍ଷିଣପନ୍ଥୀ ରାଜନୈତିକ ଲହରକୁ ଚ୍ୟାଲେଞ୍ଜ କରିଛି।
ବିଜୟ ପରେ ଲୁଲା କହିଛନ୍ତି ଯେ, ବ୍ରାଜିଲରେ ଗଣତନ୍ତ୍ରର ସୁରକ୍ଷା ପାଇଁ ମତଦାନ ଅତ୍ୟନ୍ତ ଜରୁରୀ ବୋଲି ସେ ଲୋକଙ୍କୁ ବୁଝାଇବାରେ ସଫଳ ହୋଇଛନ୍ତି। ଦେଶର ସାର୍ବଭୌମତ୍ୱ ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ତାଙ୍କ ସରକାରର ପ୍ରମୁଖ ଲକ୍ଷ୍ୟ ହେବ ବୋଲି ସେ ସଙ୍କେତ ଦେଇଛନ୍ତି।
ଅନ୍ୟପଟେ, ଲୁଲାଙ୍କ ବିଜୟ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ‘ଏକ୍ସ’ରେ ମୋଦି ଲେଖିଛନ୍ତି, “ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଲୁଲାଙ୍କୁ ଏହି ଉଲ୍ଲେଖନୀୟ ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ।” ଭାରତ-ବ୍ରାଜିଲ୍ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ ଓ ବ୍ୟାପକ କରିବା ସହ ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢ଼ାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହାସହ ଗ୍ଲୋବାଲ୍ ସାଉଥ୍ର ସାମୂହିକ ପ୍ରାଥମିକତାକୁ ଆଗକୁ ନେବା ଦିଗରେ ମିଳିତ ଭାବେ କାମ କରିବାକୁ ସେ ଆଗ୍ରହ ପ୍ରକାଶ କରିଛନ୍ତି।
ତେବେ ଲୁଲାଙ୍କ ଆଗାମୀ କାର୍ଯ୍ୟକାଳ ସହଜ ହେବ ନାହିଁ। ଦେଶର ପ୍ରାୟ ଅଧା ଭୋଟର ତାଙ୍କ ବିପକ୍ଷରେ ମତ ଦେଇଥିବାରୁ ରାଜନୈତିକ ବିଭାଜନ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଏହାସହ ଅର୍ଥନୈତିକ ଅଭିବୃଦ୍ଧିର ମନ୍ଥରତା, ଅପରାଧ ନିୟନ୍ତ୍ରଣ ଓ ଦକ୍ଷିଣପନ୍ଥୀଙ୍କ ପ୍ରଭାବ ଥିବା କଂଗ୍ରେସରେ ସମର୍ଥନ ହାସଲ କରିବା ତାଙ୍କ ପାଇଁ ବଡ଼ ପରୀକ୍ଷା ହେବ।