କେନ୍ଦ୍ରାପଡ଼ା : ଗଭୀର ସମୁଦ୍ରରେ ନିଖୋଜ ଥିବା ୨୦ ଜଣ ମତ୍ସ୍ୟଜିବୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଗଭୀର ସମୁଦ୍ରକୁ କଙ୍କଡ଼ା ଧରିବାକୁ ଯାଇ ସେମାନେ ନିଖୋଜ ହୋଇଯାଇଥିଲେ, ମାତ୍ର ବର୍ତ୍ତମାନ ସେମାନଙ୍କର ସନ୍ଧାନ ମିଳିଛି ।
ସୂଚନା ଅନୁଯାୟୀ ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଶବର ସାହିର ୨୦ ମତ୍ସ୍ୟଜୀବୀମାନେ ସାମୁଦ୍ରିକ ବାତ୍ୟା ଜନିତ ପାଣିପାଗ ପରିବର୍ତ୍ତନ ଯୋଗୁଁ ଲାଙ୍ଗୁଗୋଲା ଦ୍ୱୀପପୁଞ୍ଜ ଉପକୂଳରେ ଫସି ରହିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆୟର ନିଶ୍ଚିତ କରିଛନ୍ତି ଯେ ସମସ୍ତ ମତ୍ସ୍ୟଜୀବୀ ସେଠାରେ ସୁରକ୍ଷିତ ଅଛନ୍ତି । ବାତ୍ୟା ବିପଦ ଏବଂ ସମୁଦ୍ରରେ ଥିବା ପ୍ରତିକୂଳ ପରିସ୍ଥିତି ସାମାନ୍ୟ ଟଳିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଅଣାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।