ନୂଆଦିଲ୍ଲୀ: ୟୁକ୍ରେନର ଡନିପ୍ରୋ ସହରରେ ଥିବା ଏକ ରେଳ ଷ୍ଟେସନରେ ଋଷିଆ ଏକ ମାରାତ୍ମକ ଡ୍ରୋନ୍ ଆକ୍ରମଣ କରିଛି । ଏଥିରେ ୧୩ ଜଣ ରେଳ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଆହତ ହୋଇଛନ୍ତି ।
ଟେଲିଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ୟୁକ୍ରେନ ରେଳବାଇ ସୂଚିତ କରିଛି ଯେ, ଏହି ଆକ୍ରମଣ ପାଇଁ ଏକ ଅତ୍ୟାଧୁନିକ ଜେଟ୍-ଚାଳିତ ଡ୍ରୋନ୍ ବ୍ୟବହାର କରାଯାଇଥିଲା। ଏହି ଜେଟ୍ ଡ୍ରୋନ୍ଟି ଷ୍ଟେସନର ଟ୍ରେନକୁ ଟାର୍ଗେଟ୍ କରିଥିଲ । ଡନିପ୍ରୋ–ଜାପୋରିଝିଆ ଟ୍ରେନ୍ ନଂ ୮୬୬ ଉପରେ ଆକ୍ରମଣ ହୋଇଛି । ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ମୃତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।
ଡନିପ୍ରୋ ସହରର ମେୟର ବୋରିସ୍ ଫିଲାଟୋଭ୍ ଏହି ଘଟଣାକୁ ସହର ପାଇଁ ଏକ ବଡ଼ ଦୁଃଖଦ ଘଟଣା ବୋଲି କହିଛନ୍ତି । ଏକ ଋଷୀୟ ଡ୍ରୋନ୍ ଜାଣିଶୁଣି ସାଧାରଣ ନାଗରିକମାନେ ଯାତ୍ରା କରୁଥିବା ଏକ ଟ୍ରେନ୍କୁ ଟାର୍ଗେଟ୍ କରିଥିଲା।
ଏହି ଆକ୍ରମଣ ପରେ, ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ଋଷ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଉତ୍ତେଜନା ହ୍ରାସ କରିବା ପରିବର୍ତ୍ତେ, ଋଷ ସାଧାରଣ ଲୋକଙ୍କ ଉପରେ ଆଉ କେତେ ଆତଙ୍କବାଦୀ ଆକ୍ରମଣ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ୟୁକ୍ରେନର ରାଷ୍ଟ୍ରାୟତ୍ତ ରେଳ ସଂସ୍ଥା ଅନୁଯାୟୀ, ଗତ ରବିବାର ଦିନ ୟୁକ୍ରେନ୍-ପୋଲାଣ୍ଡ ସୀମା ନିକଟରେ ଏକ ଋଷୀୟ ଡ୍ରୋନ୍ ଏକ ଟ୍ରେନ୍ ଉପରେ ଆକ୍ରମଣ କରିଥିଲା। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ବ୍ରିଟେନ ଏବଂ ସ୍ୱିଡେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ଉଚ୍ଚପଦସ୍ଥ ଅଧିକାରୀ ସେହି ଅଞ୍ଚଳ ଦେଇ ଯାଉଥିଲେ।